ଭାରତ ଓ ବ୍ରିଟେନ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତି

ଭୁବନେଶ୍ଵର: ଦୀର୍ଘ ପ୍ରତୀକ୍ଷା ପରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ରାଜିନାମା ଉଭୟ ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ବିଶ୍ୱରେ ସଂରକ୍ଷଣବାଦ ବୃଦ୍ଧି ପାଉଥିବା ସମୟରେ ଏହି ଦ୍ୱିପାକ୍ଷିକ ରାଜିନାମା ବାଣିଜ୍ୟ ଓ ଅର୍ଥନୈତିକ ସ୍ଥିରତାକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ବାଣିଜ୍ୟିକ ସମ୍ପର୍କ ଥାଇ ମଧ୍ୟ ୨୦୨୩-୨୪ରେ ମାତ୍ର ୨୧.୩୪ ବିଲିୟନ ଡଲାରର କାରବାର ହୋଇଥିଲା, ଯାହା ଉଭୟ ଦେଶର ଅର୍ଥନୀତିର ଆକାର ଦୃଷ୍ଟିରୁ ଅତି କମ। ଏହି ରାଜିନାମା ମାଧ୍ୟମରେ ବାର୍ଷିକ ବାଣିଜ୍ୟ ୩୪ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ଏବଂ ୨୦୩୦ ସୁଦ୍ଧା ଏହା ୧୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଛନ୍ତି। ଏହା ଫଳପ୍ରଦ ହେଲେ ନିଶ୍ଚିତ ଭାବେ ଦୁଇ ଦେଶର ଅର୍ଥନୀତି ମଧ୍ୟରେ ସହଯୋଗ ଓ ସମୃଦ୍ଧି ବୃଦ୍ଧି ପାଇବ। କୁହାଯାଉଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ବିଶ୍ୱ ବଜାରରେ ଘୋର ଅସ୍ଥିରତା ସୃଷ୍ଟି କରିଛି। ଏପରି ପରିସ୍ଥିତିରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଏହି ଦ୍ୱିପାକ୍ଷିକ ରାଜିନାମା ଅର୍ଥନୈତିକ ସ୍ଥିରତା ଓ ବାଣିଜ୍ୟ ବୃଦ୍ଧିରେ ଏକ ନିର୍ଭରଯୋଗ୍ୟ ପନ୍ଥା ପ୍ରଦାନ କରିବା ଆଶା କରାଯାଏ।
ସୂଚନା ଅନୁଯାଇ ଭାରତ ପାଇଁ ମଧ୍ୟ ଏହି ରାଜିନାମା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ଭାରତରୁ ବ୍ରିଟେନ୍‌କୁ ହେଉଥିବା ୯୯ ଶତାଂଶ ରପ୍ତାନି ଶୁଳ୍କମୁକ୍ତ ହେବ, ଯାହା ଭାରତୀୟ ଉତ୍ପାଦକୁ ଅଧିକ ପ୍ରତିଯୋଗୀ କରିବ। ସେହିପରି ବ୍ରିଟେନ୍‌ରୁ ଆସୁଥିବା ଉତ୍ପାଦ ଭାରତରେ ଶସ୍ତା ହେବ। ଏହା ବସ୍ତ୍ର, ଚମଡା ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ବିଶେଷ ଭାବେ ଫାଇଦା ଦେବ। ବିଶ୍ୱ ଉତ୍ପାଦନରେ ଭାରତର ଭାଗୀଦାରିତା ବର୍ତ୍ତମାନ ୨.୮ ଶତାଂଶ ଥିବାବେଳେ ଚୀନର ୨୮.୮ ଶତାଂଶ। ଭାରତର ଜିଡିପିରେ ମାନୁଫାକ୍‌ଚରିଂ ବା ଉତ୍ପାଦନ କ୍ଷେତ୍ରର ଯୋଗଦାନ ୧୭ ଶତାଂଶ ଥିବାବେଳେ ସରକାର ଏହାକୁ ୨୫ ଶତାଂଶକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *