‘ହରିଜନ’ ଶବ୍ଦ ବ୍ୟବହାର ନ କରିବାକୁ ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ ‘ହରିଜନ’ ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ କରାଯିବନାହିଁ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ତାଲିକାଭୁକ୍ତ ସମ୍ପ୍ରଦାୟଗୁଡ଼ିକୁ ସୂଚିତ କରିବା ପାଇଁ ‘ଅନୁସୂଚିତ ଜାତି’ ର ବ୍ୟବହାର କରାଯିବ । ଏହି ପରିବର୍ତ୍ତନ ବିଷୟରେ କର୍ମଚାରୀମାନଙ୍କୁ ସୂଚନା ଦେବାକୁ ଏବଂ ସେହି ଅନୁସାରେ ବିଦ୍ୟମାନ ଡକ୍ୟୁମେଣ୍ଟ ଏବଂ ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ଅନୁସରଣ କରି ‘ହରିଜନ’ ଶବ୍ଦ ବ୍ୟବହାରକୁ ନିଷେଧ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ସମସ୍ତ ସରକାରୀ କାର୍ଯ୍ୟାଳୟରେ କଡ଼ାକଡ଼ି ଭାବରେ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *