ଦେଶର କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ HPV ଟୀକା

ଭୁବନେଶ୍ୱର: ସାରା ଭାରତରେ HPV (ହ୍ୟୁମାନ୍ ପାପିଲୋମାଭାଇରସ୍) ଟୀକାକରଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ମହିଳା ସ୍ୱାସ୍ଥ୍ୟକୁ ସୁଦୃଢ଼ ପାଇଁ ଏକ ବଡ଼ ପଦକ୍ଷେପ ନେଉଛନ୍ତି। ଏହାର ଲକ୍ଷ୍ୟ ହେଉଛି ସମୟ ମଧ୍ୟରେ ଝିଅମାନଙ୍କୁ ସର୍ଭାଇକାଲ୍ କର୍କଟରୁ ସୁରକ୍ଷା ଦେବା। ଓଡ଼ିଶାରେ ମଧ୍ୟ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି ମିଳିଛି। ସମସ୍ତଙ୍କୁ ବ୍ୟୟ ବହୁଳ ଟିକା ମାଗଣା ଦିଆଯିବ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଚ୍‌ପିଭି ଇଞ୍ଜେକ୍ସନ୍‌ ପ୍ରଦାନ ନେଇ ଶୁଭାରମ୍ଭ କରିବେ । ଏଥିପାଇଁ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଏହା ମହିଳାଙ୍କୁ ସଞ୍ଜିବନୀ ଭଳି କାମ କରିବ । ରାଜ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ଟିକା ପ୍ରଦାନ କରାଯିବ।
ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୮ରେ ଏଚ୍‌ପିଭି ଭ୍ୟାକ୍‌ସିନ୍‌ ଦିଆଯିବ। ସେଥିପାଇଁ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ରୂପରେଖ ପ୍ରସ୍ତୁତ କରିଛି। ଏକ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତି ଆରମ୍ଭ କରିଛି। ଟିକା ପ୍ରଦାନ ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ର ସରକାର ଟିକା ପ୍ରଦାନ କରିଛନ୍ତି । ଏହି ଟିକା ଦୁଇ ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ । ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ କିଶୋରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ସେହି ମାର୍ଗଦର୍ଶିକା ଅନୁଯାୟୀ ଟିକା ପ୍ରଦାନ କରାଯିବ। ପ୍ରଥମେ ବିଦ୍ୟାଳୟ ଓ ମହାବିଦ୍ୟାଳସ୍ତରରେ ଏଚ୍‌ପିଭି ଇଞ୍ଜେକ୍ସନ୍‌ ପ୍ରଦାନ କରାଯିବ । ଏହାପରେ ୪୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଟିକା ଦିଆଯିବ । ଡାକ୍ତରମାନେ ଏହି ଟିକାର ଦୁଇଟି ଡୋଜ୍‌ ନେବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ଯେଉଁମାନେ ପ୍ରଥମ ଡୋଜ୍‌ ଯେଉଁ ଦିନ ନେବେ, ତାହାର ୬ ମାସରୁ ୧୨ ମାସ ଭିତରେ ଦ୍ୱିତୀୟ ଡୋଜ୍‌ ନେବେ ଜଣାପଡ଼ିଛି । ରାଜ୍ୟରେ ଦିନକୁ ଦିନ ମହିଳାଙ୍କଠାରେ ଜରାୟୁ କର୍କଟ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନ ଧରି ଜଣଙ୍କଠାରେ ହାଇରିସ୍କ ଏଚ୍‌ପିଭି ପରବର୍ତ୍ତୀ ସମୟରେ ଜରାୟୁ କର୍କଟ ରୋଗ ସୃଷ୍ଟି କରିଥାଏ । ୯୦% ଜରାୟୁ କର୍କଟ ଏଚ୍‌ପିଭି ଭାଇରସ ଦ୍ୱାରା ହୋଇଥାଏ । ବିଶେଷକରି ଏଚ୍‌ପିଭି ଟାଇପ୍‌ ୧୬ ଓ ୧୮ ଯୌନ ସଂକ୍ରମଣରୁ ହିଁ ବ୍ୟାପିଥାଏ । ତେଣୁ ଗୋଷ୍ଠୀସ୍ତରରେ କେତେ ସଂଖ୍ୟକ ମହିଳାଙ୍କଠାରେ ଏଚ୍‌ପିଭି ରହିଛି, ତାହା ଜାଣିବା ଲାଗି କଟକ ଓ ଭୁବନେଶ୍ୱରରେ ତୃତୀୟ ପକ୍ଷ ଦ୍ୱାରା ଏହାର ସର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା । ୫ ହଜାର ମହିଳାଙ୍କୁ ଏଥିରେ ସାମିଲ ପାଇଁ ଲକ୍ଷ୍ୟ ରହିଥିଲା ।

Leave a Reply

Your email address will not be published. Required fields are marked *