କୁକୁର ନେଲା କବାଡ଼ି ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ: ଡ୍ରେନରେ ଖସି ପଡ଼ିଥିବା କୁକୁର ଛୁଆକୁ ବଞ୍ଚାଇବା ପାଇଁ ଆଗେଇ ଯାଇଥିଲେ କବାଡ଼ି ଖେଳାଳି। ହେଲେ କିଏ ଜାଣିଥିଲା ତାଙ୍କର ଗୋଟାଏ ଭୁଲ ପାଇଁ ଜୀବନ ଚାଲିଯିବ ବୋଲି। କୁକୁର କାମୁଡ଼ିଲେ ଆମକୁ ରେବିଜ୍ ଟୀକା ନେବାକୁ ଡାକ୍ତରମାନେ କହିଥାନ୍ତି। ଯଦି ଠିକ୍ ସମୟରେ ଏହା ନକରାଯାଏ ତେବେ ରେବିଜ୍ ହେବା ସୁନିଶ୍ଚିତ। ଠିକ୍ ଏହି ଭୁଲ କରିଥିଲେ ଉତ୍ତରପ୍ରଦେଶର ରାଜ୍ୟସ୍ତରୀୟ କବାଡ଼ି ଖେଳାଳି ବ୍ରିଜେଶ ସୋଲାଙ୍କି। ସୂଚନା ମୁତାବକ, ମାର୍ଚ୍ଚ ମାସରେ ବ୍ରିଜେଶ ଡ୍ରେନରେ ପଡ଼ିଯାଇଥିବା ଏକ କୁକୁର ଛୁଆକୁ ଉଦ୍ଧାର କରିଥିଲେ। ଉଦ୍ଧାର ବେ‌ଳେ କୁକୁରଟି ତାଙ୍କୁ କାମୁଡ଼ି ଦେଇଥିଲା। ‌କୁକୁରଟି ଛୋଟ ଥିବାରୁ ରେବିଜ୍ ହେବ ନାହିଁ ବୋଲି ଭାବିଥିଲେ ବ୍ରିଜେଶ। ତେଣୁ ସେ କୌଣସି ଟୀକା ନେଇନଥିଲେ। କିଛି ଦିନ ବିତିବା ପରେ ଜୁନ୍ ୨୬ରେ ତାଙ୍କ ଦେହରେ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ଦେହ ହାତ ଦରଜ ହେବା ପରେ କବାଡ଼ି ଖେଳୁଥିବାରୁ ଏହା ହେଉଥିବ ବୋଲି ସେ ଭାବିଥିଲେ। ହେଲେ ଯେତେବେଳେ ସେ ପାଣିକୁ ଡରିବା ଆରମ୍ଭ କଲେ ସେତେବେଳେ ତାଙ୍କ ଭାଇ ରେବିଜ୍ ହୋଇଥିବା ସନ୍ଦେହ କରି ଡାକ୍ତରଖାନା ନେଇଥିଲେ। ‌ସେଠାରେ ଡାକ୍ତର ରେବିଜ୍ ହୋଇଥିବା ନେଇ ସ୍ପଷ୍ଟ କରିବାର କିଛି ଦିନ ପରେ ଅର୍ଥାତ୍ ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ, ସୋମବାର ଦିନ ସ୍ୱାସ୍ଥ୍ୟ ଅଧିକାରୀମାନେ ଗାଁ ପରିଦର୍ଶନ କରିଥିଲେ। ସେମାନେ ୨୯ ଜଣ ବାସିନ୍ଦାଙ୍କୁ ଟୀକା ଦେଇଥିଲେ ଏବଂ ରେବିଜ୍ ନିବାରଣ ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *