ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ..

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେବ ଧାଡ଼ି ଦର୍ଶନ । ଆସନ୍ତା ସେପ୍ଟେମ୍ବର ୧୫ରୁ ଧାଡି ଦର୍ଶନ ଆରମ୍ଭ ହେବାକୁ ଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମ୍ୟାନେଜିଙ୍ଗ କମିଟି ଗଠନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଖୁବଶୀଘ୍ର ଏସବୁ ନିଷ୍ପତି କାର୍ଯ୍ୟକାରୀ କରାଯିବ । ବାରମ୍ବାର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ତାରିଖ ଘୁଞ୍ଚି ଚାଲିଛି । ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ସମୟରେ ପ୍ରବଳ ଭିଡ଼ ହେଉଛି। ଭକ୍ତ ଠେଲାପେଲାରେ ଆହତ ହେବା ସହ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ନୂତନ ସରକାର ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ୧୦ମାସ ପରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇପାରି ନାହିଁ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ ଓ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ଦ୍ବାରରେ ପ୍ରସ୍ଥାନ କରିବା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗତ ବର୍ଷ କାର୍ତ୍ତିକ ମାସ ପରେ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ବାହାର କାଠ ବା ନାଟମଣ୍ଡପରେ ଶ୍ରଦ୍ଧାଳୁମାନେ ଯେଭଳି ବିନା ଠେଲାପେଲାରେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ନକ୍ସା ପ୍ରସ୍ତୁତ କରାଯାଇ ପୁରୁଷ, ଦିବ୍ୟାଙ୍ଗ, ମହିଳା, ଶିଶୁ ଓ ବୟସ୍କ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପୃଥକ୍ ଧାଡ଼ି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଥିଲା। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ ୬ଟି ଧାଡ଼ିରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ଼ ଦେଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁ ନ ଥିଲା । ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ । ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ।

Leave a Reply

Your email address will not be published. Required fields are marked *