‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଷଷ୍ଠ ବାର୍ଷିକ ପବିତ୍ର ପୂଣ୍ୟତିଥି ଉପଲକ୍ଷେ ସ୍ମୃତିସଭା

ଭୁବନେଶ୍ଵର : ‘ସମ୍ବାଦ ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଷଷ୍ଠ ବାର୍ଷିକ ପବିତ୍ର ପୂଣ୍ୟତିଥି ଉପଲକ୍ଷେ ଏକ ସ୍ମୃତିସଭା ସ୍ୱସ୍ଥି ପ୍ରିମିୟମ୍ ହୋଟେଲ, ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ତଥା ବିଜୟ କୁମାର ପଟ୍ଟନାୟକ ମେମୋରିଆଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ଯକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମାନ୍ୟବର ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ, ସ୍ଵାମୀ ସୁଧାନନ୍ଦ ସରସ୍ଵତୀ, ଅଧ୍ୟକ୍ଷ, ବେଦଧାମ ଏବଂ ଓଡ଼ିଆ ଦୈନିକ ଖବରକାଗଜ ‘ପ୍ରମେୟ’ର ସମ୍ପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ଗୌତମବୁଦ୍ଧ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଜୟ ପଟ୍ଟନାୟକଙ୍କ ଭଳି ଏକ ସାଙ୍ଗଠନିକ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ସମ୍ବାଦ ପାଇଥିଲା । ତାଙ୍କର ସାଙ୍ଗଠନିକ ଦକ୍ଷତା ଅନନ୍ୟ। ଏକ ପ୍ରମୁଖ ସମ୍ବାଦପତ୍ର ସମ୍ବାଦର ସେ ଥିଲେ ପ୍ରଚ୍ଛଦପଟର ନାୟକ। ସମ୍ବାଦର ପ୍ରକାଶନ ଦାୟିତ୍ଵ ଏଭଳି ସୁଚାରୁରୂପେ ତୁଲାଇଥିଲେ ଯେ ଯାହା ସମ୍ବାଦକୁ ଆଜି ରାଜ୍ୟର ଏକ ନମ୍ବର ଖବରକାଗଜର ମାନ୍ୟତା ଦେବାରେ ସହାୟକ ହୋଇଛି। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ କାଳ ସେ ସମ୍ବାଦର ସେବାରେ ନିଜକୁ ସମର୍ପିତ କରିଥିଲେ। ସମ୍ବାଦର ପ୍ରକାଶକ ପରି ବଡ଼ ପଦବୀରେ ଥାଇ ମଧ୍ୟ ସେ ବେଶ୍ ସରଳ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ସମ୍ମାନିତ ଅତିଥି ଭାବେ ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ମଣିଷର ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର କହିଥିଲେ ଯେ ବିଜୟ ବାବୁ ମୋର ଜଣେ ସହକର୍ମୀ ଥିଲେ। ଆମେ ସାଙ୍ଗ ହୋଇ ଦୀର୍ଘ ବର୍ଷ ଧରି ଏକାଠି କାର୍ଯ୍ୟ କରିଛୁ। ବିଜୟ ପଟ୍ଟନାୟକ ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସମ୍ବାଦର ସେବାରେ ନିଜକୁ ସମର୍ପିତ କରିଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କର ବ୍ୟକ୍ତିତ୍ଵ ଏବଂ ବିଭିନ୍ନ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଲୋକଲୋଚନକୁ ଆଣିଲେ ଅନ୍ୟମାନେ ଏଥୁରୁ ପ୍ରେରଣା ପାଇବେ। ଶେଷରେ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ବିଜୟ ବାବୁ ଆମ ସମ୍ବାଦ ପରିବାରର ପ୍ରଥମ ସହଯୋଗୀ ସଦସ୍ୟ ଥିଲେ। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସମ୍ବାଦର ସେବାରେ ନିଜକୁ ସମର୍ପିତ କରିଥିଲେ। ସମ୍ବାଦରେ ତାଙ୍କର ଅବଦାନକୁ କେବେବି ଭୁଲିହେବ ନାହିଁ । ସେ ଏକ ସଫଳ ବ୍ୟକ୍ତିତ୍ଵ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାରି ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଶ୍ରୀ ସୁବାଷ ଚନ୍ଦ୍ର ଶତପଥୀ, ବରିଷ୍ଠ ସାମ୍ବାଦିକଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ଜର୍ଣାଲିଷ୍ଟ ଆୱାର୍ଡ଼- ୨୦ ୨୬ରେ ସମ୍ବର୍ଦ୍ଧନା କରି ମାନପତ୍ର ଏବଂ ପଚିଶ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର: ଶ୍ରୀ ପ୍ରଦୀପ ପାଢ଼ୀଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ନିଉଜ୍‌ପେପର ହକର ଆୱାର୍ଡ଼- ୨୦୨୬ ସହିତ ମାନପତ୍ର ଏବଂ କୋଡ଼ିଏ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଆଶାକର୍ମୀ ଶ୍ରୀମତୀ ଆଲୋକରଶ୍ମୀ ପାଲୁଆରଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ‌୍ ଆୱାର୍ଡ଼ – ୨୦୨୬, ମାନପତ୍ର ଏବଂ ଦଶହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ଶିଶୁ ଶ୍ରମରୁ ମୁକ୍ତ ହୋଇ ଶିକ୍ଷାକୁ ଗ୍ରହଣ କରିଥିବା ରିଙ୍କୁ ମହନ୍ତଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ଆଓ୍ବାର୍ଡ଼- ୨୦ ୨୬ ସହିତ ମାନପତ୍ର ଏବଂ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ, ବିଜୟ କୁମାର ପଟ୍ଟନାୟକଙ୍କ ଉପରେ ଆଧାରିତ ଏକ ବୃଭିଚିତ୍ର ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇ ପ୍ରଦର୍ଶିତ ହୋଇଥିଲା।

ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା – ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ; ଶ୍ରୀମତୀ ସୁଦାତା ପଟ୍ଟନାୟକ, ‘ସମ୍ବାଦ’ର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ, ଶ୍ରୀ ଦିବ୍ୟଜ୍ୟୋତି ପଟ୍ଟନାୟକ, ଶ୍ରୀ ନବଜ୍ୟୋତି ପଟ୍ଟନାୟକ, ସି.ଭି. ରମଣ ଗ୍ଲୋବାଲ୍ ୟୁନିଭରସିଟିର ପ୍ରତିଷ୍ଠାତା ଶ୍ରୀ ସଂଜିବ କୁମାର ରାଉତ; ଶରତ ଚନ୍ଦ୍ର ଭଦ୍ରା, ଡକ୍ଟର ଗୌରହରି ଦାଶ, ଅସିତ ମହାନ୍ତି, ଶ୍ରୀ କମଳାକାନ୍ତ ମହାପାତ୍ର, ଶ୍ରୀ ଭବାନୀ ଶଙ୍କର ତ୍ରିପାଠୀ ଆଦି ଯୋଗ ଦେଇଥିଲେ। ପ୍ରାରମ୍ଭରେ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶ୍ରୀ ଅଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଟ୍ରଷ୍ଟି ଡକ୍ଟର ସମ୍ବେଦନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଶ୍ରୀ ଆଶିଷ କୁମାର ମହାନ୍ତି, ଆଇନଜୀବୀ ଶ୍ରୀ ସୁଶାନ୍ତ କୁମାର ଦାଶ, ଶ୍ରୀ ସ୍ଵରୂପ ମହାପାତ୍ର, ଡ. ସ୍ଵରୂପ କୁମାର ପଟ୍ଟନାୟକ ଷଷ୍ଠ ବାର୍ଷିକ ପବିତ୍ର ପୂଣ୍ୟତିଥ୍‌ ଉପଲକ୍ଷେ ଆୟୋଜିତ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରାତଃରେ ସି.ଆର.ପି. ଛକ ସ୍ଥିତ ଶ୍ରୀ ଶ୍ରୀ ସଂକଟ ମୋଚନ ହନୁମାନ ମନ୍ଦିରରେ ଶ୍ରୀରାମ ଚରିତ ମାନସ ଅଖଣ୍ଡ ପାଠର ଶୁଭାରମ୍ଭ ସହିତ ୧୦୮ ଦୀପଦାନ ଏବଂ ବିଜୟ କୁମାର ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ପରେ ପରେ ‘ଆଶ୍ରୟ ଚିଲଡ୍ରେନ୍ ହୋମ୍’ ଡୁମୁଡୁମାରେ ପିଲାମାନଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *