ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ, ରାଜସ୍ଥାନର ମନିକା ବିଶ୍ୱକର୍ମା ବିଜୟୀ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି । ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ । ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନିକା ବିଶ୍ୱକର୍ମାଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ପିନ୍ଧାଇଥିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜୟିନୀ ରିଆ ସିଂହା। ସେ ତାଙ୍କୁ ମିଳିଥିବା ମୁକୁଟ ମନିକାଙ୍କୁ ପିନ୍ଧାଇଥିଲେ। ଜୁରି ସଦସ୍ୟମାନଙ୍କ ମଧ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ, ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା, ପ୍ରସିଦ୍ଧ ବଲିଉଡ୍ ଷ୍ଟାଇଲିଷ୍ଟ ଅସଲେ ରୋବେଲୋ, ବଲିଉଡ୍‌ର ପ୍ରସିଦ୍ଧ ଲେଖକ-ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟି ସାମିଲ ଥିଲେ। ମନିକା ରାଜସ୍ଥାନର ଶ୍ରୀଗଙ୍ଗାନଗରର ବାସିନ୍ଦା ଏବଂ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ୨୩ ବର୍ଷୀୟା ମନିକା ୨୦୨୪ ମସିହାରେ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେବ୍ୟୁ କରିଥିଲେ । ମନିକା ଏବେ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ ।

Leave a Reply

Your email address will not be published. Required fields are marked *