ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍‌ ଲାଇଫ୍’: ପରିବେଶ ସଚେତନତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍କୁଲ ଶିକ୍ଷାରେ ‘ମିସନ ଲାଇଫ’କୁ ସମନ୍ୱିତ କରି ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍କୁଲ ପାଠ୍ୟକ୍ରମରେ ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ପାଠପଢାର ଅଂଶ ଭାବରେ ନିଆଯାଇ ବାଲ୍‌ବାଟିକାରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରାଯାଇଛି । ସ୍କୁଲ ପାଠ୍ୟକ୍ରମରେ ‘ମିସନ୍‌ ଲାଇଫ୍‌’କୁ ସାମିଲ କରାଗଲେ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହାକି ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ। ସ୍ଥାୟିତ୍ୱ ଏଜେଣ୍ଡାକୁ ଆଗେଇ ନେବା, ପିଲାଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାନସିକତା ଏବଂ ବ୍ୟବହାର ବଢ଼ାଇବା ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି । ତୃଣମୂଳ ସ୍ତରରେ ଜଳବାୟୁ ଶିକ୍ଷାକୁ ଗ୍ରହଣ କରିବା, ଗାମିଫିକେସନ୍ ଓ ଡିଜିଟାଲ୍ ପଦ୍ଧତି ମାଧ୍ୟମରେ ପରିବେଶଗତ ଶିକ୍ଷା, ତାଲିମକୁ ପ୍ରୋତ୍ସାହିତ କରିବା, ‘ମିସନ୍ ଲାଇଫ୍‌’ର ଉପାଦାନଗୁଡ଼ିକ ଉପରେ ଶିକ୍ଷକ ହ୍ୟାଣ୍ଡବୁକ୍‌କୁ ବିକଶିତ, ଛାତ୍ରଛାତ୍ରୀ ତଥା ସମସ୍ତ ଅଂଶୀଦାରଙ୍କ ଦ୍ୱାରା ପରିବେଶ-ଅନୁକୂଳ ଆଚରଣକୁ ପ୍ରୋତ୍ସାହିତ କରିବାକୁ ‘ମିସ୍‌ନ ଲାଇଫ୍‌’ର ସକରାତ୍ମକ ଦିଗକୁ କ୍ରେଡିଟ୍ ଫ୍ରେମ୍‌ୱାର୍କରେ ଅନ୍ତର୍ଭୁକ୍ତ କରିବା ପାଇଁ ଡାଏଟ୍‌ ଗୁଡ଼ିକୁ ସାମିଲ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *