ମହିଳା ସରପଞ୍ଚଙ୍କୁ ଅତ୍ୟାଚାର ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କଲେ ନବୀନ

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମହିଳା ସରପଞ୍ଚଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଏହାସହ ମହିଳାମାନଙ୍କ ସ୍ୱର ଚାପିବା ପାଇଁ ଶାସକ ଦଳ ହୀନ ପ୍ରୟାସ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲୋକଙ୍କ ସ୍ୱର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା । ମହାକାଳପଡ଼ା ଅଞ୍ଚଳର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ଯେଭଳି ଅକଥନୀୟ ଅତ୍ୟାଚାର କରାଯାଇଛି, ତାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ । ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ ହୀନ ଉଦ୍ୟମ କରୁଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି ।ଶାସକ ଦଳକୁ ଟାର୍ଗେଟ୍ କରି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ଯେ, ‘ନାରୀ ଶକ୍ତି ବନ୍ଦନ’ କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ’ଣ ନାରୀଙ୍କ ପ୍ରତି ସମ୍ମାନ? ସେ କହିଛନ୍ତି, “ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ହକ ଓ ଦାବି ଉଠାଇ ଯଦି ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି, ତେବେ ରାଜ୍ୟରେ ଥିବା ଅଗଣିତ ସାଧାରଣ ମହିଳାଙ୍କ ସ୍ଥିତି ଓ ସୁରକ୍ଷା କେତେ ସଂକଟରେ ତାହା ସହଜରେ ଅନୁମେୟ ।”

Leave a Reply

Your email address will not be published. Required fields are marked *