ଭୁବନେଶ୍ୱର: ନୃତ୍ୟସୁଧା ଡାନ୍ସ ଏକାଡେମୀ କେଶୁରା, ଭୂବନେଶ୍ଵର ଦ୍ଵାରା ଆୟୋଜିତ ୫ମ ନୃତ୍ୟସୁଧା ନୃତ୍ୟ ଉତ୍ସବ ଶନିବାର ଭଞକଳା ମଣ୍ଡପରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅତିଥି ଭାବେ ଶ୍ରୀରାଧା କଳାକୁଞର ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ, ବଂଶୀ ବାଦକ ଗୁରୁ ସୋମ୍ୟ ରଞ୍ଜନ ଯୋଷୀ, ଓଡିଶୀ ନୃତ୍ୟଗୁରୁ ପଙ୍କଜ ପ୍ରଧାନ, ଓଡିଶୀ ସଙ୍ଗୀତଗୁରୁ ରାସ ବିହାରୀ ନାଥ, ପରିବେଶବିତ୍ ଶ୍ରୀଯୁକ୍ତ ଅଶୋକ ଶାର୍ଦା, ବେହେଲା ଗୁରୁ ରମେଶ ଚନ୍ଦ୍ର ଦାସ, ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ମୀନାକ୍ଷୀ ବେହେରା, ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ୱାଇଁ, ମର୍ଦ୍ଦଳ ବାଦକ ଗୁରୁ ସଚିଦାନନ୍ଦ ଦାସ, ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ରିଡର୍ ଗୁରୁ ଡଃ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଗୁରୁ ଡଃ ବିଜୟ କୁମାର ଦାଶଙ୍କୁ ନୃତ୍ୟସୁଧା ସମ୍ମାନ' ଓ ସୁଶ୍ରୀ ସ୍ଵେତାଶ୍ରୀ ପାତ୍ରଙ୍କୁନୃତ୍ୟ ଉର୍ମିମାଳା’ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ନୃତ୍ୟର ପ୍ରଥମ ସୋପାନରେ ନୃତ୍ୟସୁଧା ଡାନ୍ସ ଏକାଡେମୀର ଛାତ୍ରୀଛାତ୍ରମାନେ ଓଡିଶୀ ଓ ଲୋକନୃତ୍ୟରେ ଏକକ, ଦୈତ୍ୟ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ସନ୍ଧ୍ୟା ଅଧିବେଶନରେ ମଧ୍ୟ ଶିଳ୍ପୀମାନେ ଓଡ଼ିଶୀ, ଲୋକନୃତ୍ୟ ସହିତ ” ଜୀବନ ଚକ୍ର” ନାମକ ଅଭିନୟ ପ୍ରଦର୍ଶନ କରିଥିଲେ। ଯାହା ଦର୍ଶକଙ୍କୁ ମୋହିତ କରିଥିଲା। ଏହି ଉତ୍ସବରେ ୧୫୦ ରୁ ଅଧିକ ନୂତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ ଓ ୫୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିଥିଲେ। ଗୁରୁ ବିଶ୍ଵଜିତ୍ ବଳିୟାରସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଏକାଡେମୀର ସ୍ଥାପକ ଗୁରୁ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
