ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର ଶୁଭିଲା ସମ୍ୱିଧାନ ବଞ୍ଚାଅ ସମାବେଶରେ। କହିଲେ ସମ୍ୱିଧାନ ଉପରେ ଆଟାକ୍ କରୁଛି ବିଜେପି ସରକାର । ମହାରାଷ୍ଟ୍ର ପରେ ବିହାରରେ ଚୋରି ହେଉଛି ନିର୍ବାଚନ। ଓଡ଼ିଶାରେ ଗରିବଙ୍କ ଧନ ଲୁଟି ଖାଉଛି ସରକାର। ପ୍ରଥମେ ସମାବେଶରେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍ କିପରି ଅଛି ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧି । ଏହାସହ ସେ କହିଥିଲେ ସରକାର ଗରିବଙ୍କୁ ଲୁଟୁଛନ୍ତି । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ଏମିତିକି ମହାରାଷ୍ଟ୍ରରେ ବି ନିର୍ବାଚନ ଚୋରି ହୋଇଛି । କାରଣ ସେଠାରେ ନୂଆ ୧ ଲକ୍ଷ ଭୋଟର୍ କିପରି ଆସିଲେ । ଏହି ଦୁଇ ରାଜ୍ୟରେ ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ । ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ୍ । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ ବୋଲି ରାହୁଲ ଦୃଢୋକ୍ତି ଦେଖାଇଥିଲେ । ସେ ଆହୁରି କହିଥିଲେ ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ। ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି । ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକାସିରେ। ତେବେ ଜାତି ଜନଗଣନା ନିହାତି ଜରୁରୀ ବୋଲି ସେ କହିଥିଲେ । ତାଙ୍କ କହିବା କଥା ଓଡ଼ିଶାରେ ବି ଅରବପତିଙ୍କ ରାଜ୍ ଚାଲିଛି । ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ କଲେ ରାହୁଲ । କାରଣ ଅଦାନୀ ପାଇଁ ରଥକୁ ରୋକାଯାଇଥିଲା ବୋଲି କହିଥିଲେ ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା । ଏହାସହ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଥିଲେ । ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ବୋଲି ରାହୁଲ କହିଥିଲେ ।
ସମ୍ୱିଧାନ ବଞ୍ଚାଅ ସମାବେଶରେ ବିଜେପିକୁ ଆକ୍ଷେପ କଲେ ରାହୁଲ
