ରାଉରକେଲା: ରାଉରକେଲାରୁ ବେଙ୍ଗାଲୁରୁ ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଷ୍ଟେସନ ପରିସରରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଜିଆରପି ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରାଯାଇଛି । ପୋଲିସରେ ଦିଆଯାଇଥିବା ଏତଲା ଅନୁଯାୟୀ, ଗୁରୁବାର ଦିନ ଉକ୍ତ ଯୁବତୀ ଜଣକ ବେଙ୍ଗାଲୁରୁ ଯିବା ପାଇଁ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚି ନିଜ ଟ୍ରେନ୍ ଆସିବା ବାଟକୁ ଅପେକ୍ଷା କରି ବସିଥିଲେ । ଏହି ସମୟରେ ରେଳବାଇ ବିଭାଗର ଜଣେ କର୍ମଚାରୀ ତାଙ୍କ ନିକଟକୁ ଆସି ଯାତ୍ରା ସମ୍ପର୍କରେ ପଚାରି ବୁଝିଥିଲେ । ଟ୍ରେନ୍ରେ ଏକ କନଫର୍ମ ଟିକେଟ୍ କରାଇଦେବେ କହି ସେ ପ୍ରଥମେ ଯୁବତୀଙ୍କ ସହ କଥାବାର୍ତ୍ତା କରି ବିଶ୍ୱାସ ଜନ୍ମାଇଥିଲେ । ପରେ ସେ ଉକ୍ତ ଯୁବତୀଙ୍କୁ ୧ ନମ୍ବର ପ୍ଲାଟଫର୍ମ ନିକଟରେ ଥିବା ଏକ ଭଲ୍ଭ ରୁମ୍କୁ ଡାକି ନେଇଥିଲେ। ସେଠାରେ ସମ୍ପୃକ୍ତ କର୍ମଚାରୀ ଜଣକ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଜିଆରପି ଦ୍ୱାରା ଗିରଫ ହୋଇଥିବା ଏହି ବ୍ୟକ୍ତି ଜଣକ ରାଉରକେଲା ରେଳବାଇ ପମ୍ପ ହାଉସ୍ରେ କାର୍ଯ୍ୟରତ କପିଳେଶ୍ୱର ସିଂହ ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତ ଏବଂ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ପୋଲିସ ତାଙ୍କୁ ବିଧିବଦ୍ଧ ଭାବେ କୋର୍ଟ ଚାଲାଣ କରିଛି ।
କନଫର୍ମ ଟିକେଟ୍ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ରେଳବାଇ କର୍ମଚାରୀ ଗିରଫ
