ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ରୁଚିକା

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀ ରୁଚିକା ସିଂହ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସମଗ୍ର ଦେଶବାସୀଙ୍କଠାରୁ କ୍ଷମା ମାଗିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ରୁଚିକା କହିଛନ୍ତି ଯେ, ମୋର ବୟସ ମାତ୍ର ୧୫ ବର୍ଷ ଅଟେ | ‘ପ୍ରଦର୍ଶନ ସମୟରେ ମୁଁ କିଛି ଲୋକଙ୍କ ପ୍ରରୋଚନାରେ ପଡ଼ିଯାଇଥିଲି ଏବଂ ପ୍ରଧାନମନ୍ତ୍ରୀଜୀଙ୍କ ବିରୋଧରେ ବହୁତ ଭୁଲ କଥା କହିଦେଲି। ମୁଁ ଯାହା କିଛି ବି କଲି, ତାହା କ୍ଷମାଯୋଗ୍ୟ ନୁହେଁ। ମୋ ଦ୍ୱାରା ଏକ ବଡ଼ ଭୁଲ ହୋଇଯାଇଛି, ଏଥିପାଇଁ ମୁଁ ଲଜ୍ଜିତ। ଏହା ମୋର ପ୍ରଥମ ଏବଂ ଶେଷ ଭୁଲ ଅଟେ, ଦୟାକରି ମତେ କ୍ଷମା କରିଦିଅନ୍ତୁ।’ ରୁଚିକାଙ୍କ କ୍ଷମା ଭିଡିଓ ଆସିବାର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ଦେଇଥିଲେ। ପ୍ରତିବାଦ ବେଳେ ତାଙ୍କୁ ଓ ତାଙ୍କ ସ୍ୱର୍ଗତ ମାଆଙ୍କ ବିରୋଧରେ କୁହାଯାଇଥିବା ଭାଷା ଅତ୍ୟନ୍ତ ଦୁଃଖଦାୟକ ଥିଲା, ତଥାପି ଯୁବପିଢ଼ିଙ୍କୁ ସେମାନଙ୍କ ଭୁଲରୁ ଶିଖିବାର ସୁଯୋଗ ମିଳିବା ଉଚିତ ଭାବି ସେ ସମ୍ପୃକ୍ତ ଛାତ୍ରୀଙ୍କୁ କ୍ଷମା କରିଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶ୍ଳୀଳ ଭାଷା ବ୍ୟବହାର କରିବା ଅଭିଯୋଗରେ ନୋଏଡା ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରାଯାଇଥିଲା। ନୋଏଡା ପୋଲିସ ଏକ ଜିରୋ ଏଫଆଇଆର୍‌ (Zero FIR) ରୁଜୁ କରି ମାମଲାଟି ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରିଥିଲା।

Leave a Reply

Your email address will not be published. Required fields are marked *