ଭୁବନେଶ୍ୱର: ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ଦିବସର ୩୦ ବର୍ଷ ପୂର୍ତି ଉପଲକ୍ଷେ ଏକ ଆଧ୍ୟାତ୍ମିକ ପୁସ୍ତିକା ‘ଶ୍ରୀ ଶ୍ରୀ ସଙ୍କଟମୋଚନ’ ଲୋକାର୍ପଣ ହୋଇଯାଇଅଛି । ଏହି ଲୋକାର୍ପଣ ଉତ୍ସବରେ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ପୌରୋହିତ୍ୟ କରିଥିଲାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାବାଜୀ ସନ୍ଥ ଡାକ୍ତର ସନତ୍ ସୁଜାତାନନ୍ଦ ଦାସ ଏବଂ ଜଗନ୍ନାଥ ପ୍ରଚାରକ, ସଂସ୍କୃତି ଗବେଷକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର,ମନୋରଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କ ସଭାପତିତ୍ଵ ଭାଷଣରେ କହିଥିଲେ ୧୯୯୫ ମସିହାରେ ମୋର ସହଯୋଗୀ ଶ୍ରୀ ବିଜୟ କୁମାର ପଟ୍ଟନାୟକ ସମ୍ବାଦ ଅଫିସ୍ ପରିସରରେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା କରିବାକୁ ମୋତେ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବରେ ମୁଁ ସମ୍ମତି ଜଣେଇଥିଲି । ସେବେଠାରୁ ଏଇ ମନ୍ଦିର ବହୁ ପ୍ରତିଷ୍ଠା ଅର୍ଜନ କରିଅଛି । ସମ୍ବାଦ ରସୁଲଗଡ଼ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍କୁ ଚାଲିଯାଇଥିଲାବେଳେ ହନୁମାନ ମନ୍ଦିର ଏହିଠାରେ ରହି ବହୁ ଭକ୍ତଙ୍କର ଆସ୍ଥା ଭାଜନ ହୋଇଥିବାରୁ ଏବଂ ହନୁମାନଙ୍କ ଉପରେ ଏକ ଆଧ୍ୟାତ୍ମିକ ପୁସ୍ତିକା ଆଜି ଲୋକାର୍ପଣ ହୋଇଥିବାରୁ ମୁଁ ସମସ୍ତ ଭକ୍ତମଣ୍ଡଳୀ ଏବଂ ଉଦ୍ୟୋକ୍ତାମାନଙ୍କୁ ସାଧୁବାଦ ଜଣାଉଛି I

ଅନ୍ୟତମ ସମ୍ମାନିତ ଅତିଥି ସନ୍ଥ ଡାକ୍ତର ସନତ ସୁଜାତାନନ୍ଦ ଦାସ ଶ୍ରୀରାମଙ୍କ ପାଖରେ ସମର୍ପିତ ଭକ୍ତିଭାବ ଏବଂ କଳିଯୁଗରେ ହନୁମାନ ସମସ୍ତ ଭକ୍ତଙ୍କର ସଙ୍କଟ ଦୂର କରନ୍ତି ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର କହିଥିଲେ ଜଗନ୍ନାଥ ସଂସ୍କୃତିରେ ହନୁମାନଙ୍କର ଏକ ବଡ଼ ଭୂମିକା ରହିଛି। ଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରରେ ସ୍ଵୟଂ ହନୁମାନ ଜାଗ୍ରତ ପ୍ରହରୀ ଭାବେ ରହି ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ କରୁଛନ୍ତି। କଳିଯୁଗରେ ଶ୍ରୀ ହନୁମାନଙ୍କର ମାହାତ୍ମ୍ୟ, କରୁଣା ବିଶେଷ ଭାବେ ଉପଲବ୍ଧି ହେଉଅଛି। ସେଥିପାଇଁ ହଜାର ହଜାର ଭକ୍ତ ସ୍ଵୟଂ ହନୁମାନଜୀଙ୍କର ଶରଣାଗତ ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ପ୍ରାରମ୍ଭରେ ହନୁମାନଙ୍କର ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀ ଅଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲାବେଳେ ଡକ୍ଟର ସୁରେଶ ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଧ୍ୟାତ୍ମିକ ଲୋକାର୍ପଣ ଉତ୍ସବରେ ଶ୍ରୀ ଆଶିଷ ଚନ୍ଦ୍ର ମହାନ୍ତି, ଡାକ୍ତର ସ୍ବରୂପ ପଟ୍ଟନାୟକ, ଶ୍ରୀ ସରୋଜ କାନ୍ତ ଦାସ, ଶ୍ରୀ ସ୍ବରୂପ ମହାପାତ୍ର, ଶ୍ରୀ ପ୍ରକାଶ ଚନ୍ଦ୍ର ବେଦାନ୍ତ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
