ଓଡ୍ରାଫ୍‌ ହେବ ଏସଡିଆରଏଫ୍:ସୁରେଶ ପୂଜାରୀ

ଭୁବନେଶ୍ୱର: ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ୍ରାଫର ଆବଶ୍ୟକ ଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ମନ୍ତ୍ରୀ କହିଛନ୍ତି,ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ୍, ୨୦୨୫ ଅଧୀନରେ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବା ଷ୍ଟେଟ୍ ଡିଜାଷ୍ଟର୍ ରେସପନ୍ସ୍ ଫୋର୍ସ ବା SDRF ସ୍ଥାପନ ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟାପକ କରିବା ନିମନ୍ତେ ଅଧ୍ୟାଦେଶ ରହିଛି । ସେହି ଅନୁଯାୟୀ ଓଡ୍ରାଫ୍‌କୁ ଏସଡିଆରଏଫ୍‌ରେ ପରିଣତ କରିବା ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଏହା ସହ ଏକ ସ୍ୱତନ୍ତ୍ର ବାଟାଲିୟନ ଓ ଏହାର ନେତୃତ୍ୱ ପାଇଁ ଅଲଗା କମାଣ୍ଡିଂ ଅଫିସର ନିଯୁକ୍ତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟ ୪ ସୁଦ୍ଧା ରାଜ୍ୟର ୯ଟି ବନ୍ୟା ପ୍ରଭାବିତ ଜିଲ୍ଲାରେ ୫୯ଟି ଟିମ୍‌ର ୬୭୪ ଜଣ ପ୍ରଶିକ୍ଷିତ କର୍ମଚାରୀ ଏବଂ ୫୯ଟି ଉଦ୍ଧାରକାରୀ ଡଙ୍ଗା ନିୟୋଜିତ ହୋଇଥିଲେ। ଓଡ୍ରାଫ୍‌ ବନ୍ୟା ସମୟରେ ପ୍ରାୟ ୫୮ ଘଣ୍ଟା ରାତ୍ରିକାଳୀନ ଉଦ୍ଧାର ଅଭିଯାନ ଚଳାଇ ୧,୩୯୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।ଓଡ୍ରାଫ ଦ୍ଵାରା ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଦତ୍ତ ବ୍ୟାପକ ସେବା କାର୍ଯ୍ୟର ସମୀକ୍ଷା କରି ମନ୍ତ୍ରୀ ଉଦ୍ଧାରକାରୀ ଦଳର ପ୍ରଶଂସା କରିଛନ୍ତି l ସରକାରଙ୍କ ଯୋଜନା ଅନୁଯାୟୀ, ଭବିଷ୍ୟତରେ ଏସଡିଆରଏଫ୍‌ର ମୁଖ୍ୟାଳୟ ନୂତନ ‘ବିପର୍ଯ୍ୟୟ ପରିଚାଳନା ଭବନ’ରେ ସ୍ଥାପନ କରାଯିବ। ବର୍ତ୍ତମାନ ଥିବା ୨୦ଟି ୟୁନିଟ୍‌କୁ ବଢ଼ାଇ ୩୦ଟି ୟୁନିଟ୍‌ କରାଯିବ ଏବଂ ନୂଆ ୧୦ଟି ୟୁନିଟ୍‌କୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ କରାଯିବ, ଯାହାଦ୍ୱାରା ଜରୁରୀ ସ୍ଥିତିରେ ଅଧିକ ଶୀଘ୍ର ସହାୟତା ପହଞ୍ଚାଇହେବ।

Leave a Reply

Your email address will not be published. Required fields are marked *