ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନିର୍ମାଣ ହେଲା ରାମ୍ପ:ଆବଶ୍ୟକ ପ୍ରସ୍ତୁତି ଶେଷ ହେବା ପରେ ଆରମ୍ଭ ହେବ ଦର୍ଶନ

ପୁରୀ:ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ କରିବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଯୋଜନା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାମ୍ପ ଓ ରେଲିଂ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟ ଗୁମୁଟଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ଏହି ରାମ୍ପ ନିର୍ମାଣ କରାଯାଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ଯାତାୟାତକୁ ସହଜ କରିବା ସହ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ଦିବ୍ୟାଙ୍ଗ ଭକ୍ତଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଏକ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ପ୍ରସ୍ତୁତ କରାଯାଉଛି। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ଦିବ୍ୟାଙ୍ଗ ଭକ୍ତମାନେ ଜୟ-ବିଜୟ ଦ୍ୱାର ନିକଟ ବାହାର କାଠ ପାଖରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ପ୍ରାୟ ୨୦ ଜଣ ଭକ୍ତଙ୍କୁ ନେଇ ଏହି ବ୍ୟବସ୍ଥାର ଟ୍ରାଏଲ୍ ରନ୍ କରିବାକୁ ଯୋଜନା ରହିଛି। ତେବେ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ନାହିଁ। ଆବଶ୍ୟକ ପ୍ରସ୍ତୁତି ଶେଷ ହେବା ପରେ ଏହା ଆରମ୍ଭ ହେବ।ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ବୈଠକରେ ଅନଲାଇନ୍ ପଞ୍ଜୀକରଣ, ରିପୋର୍ଟିଂ ଓ ଯାଞ୍ଚ ପ୍ରକ୍ରିୟା, ଯାତାୟାତ ମାର୍ଗ, ସୁରକ୍ଷା ବ୍ୟବସ୍ଥା ଏବଂ ଜରୁରୀ ପରିସ୍ଥିତିରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି। ଦିବ୍ୟାଙ୍ଗ ଭକ୍ତଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ। ସେମାନେ ଭକ୍ତଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ଆଡ଼କୁ ଯିବାରେ ସହାୟତା କରିବେ।ପ୍ରସ୍ତାବିତ ଅନଲାଇନ୍ ବୁକିଂ ବ୍ୟବସ୍ଥା ଅନୁଯାୟୀ, ଜଣେ ଦିବ୍ୟାଙ୍ଗ ଭକ୍ତ ବର୍ଷକୁ ଦୁଇଥର ସ୍ୱତନ୍ତ୍ର ଦର୍ଶନର ସୁଯୋଗ ପାଇପାରିବେ। ଦୁଇଟି ଦର୍ଶନ ମଧ୍ୟରେ ଅତି କମ୍‌ରେ ୬ ମାସର ବ୍ୟବଧାନ ରହିବ।

Leave a Reply

Your email address will not be published. Required fields are marked *