ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନନ୍ଦିଗ୍ରାମ ଆସନକୁ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି। ଶୁଭେନ୍ଦୁ ନିକଟରେ ଶେଷ ହୋଇଥିବା ବେଙ୍ଗଲ ବିଧାନସଭା ନିର୍ବାଚନରେ ଉଭୟ ଭବାନୀପୁର ଓ ନନ୍ଦିଗ୍ରାମରୁ ବିଜୟୀ ହୋଇଥିଲେ। କିନ୍ତୁ ବୁଧବାର ସେ ରାଜ୍ୟ ବିଧାନସଭାରେ ଭବାନୀପୁର ଆସନର ବିଧାୟକ ଭାବେ ଶପଥ ନେଇଛନ୍ତି। ସେ ନନ୍ଦିଗ୍ରାମ ଆସନ ଛାଡ଼ିଥିବାରୁ ସେଠାରେ ଉପ ନିର୍ବାଚନ ହେବ। ଏହା ଶୁଭେନ୍ଦୁଙ୍କ ଗଡ଼ ହୋଇଥିବାରୁ ତାଙ୍କର କୌଣସି ଘନିଷ୍ଠ ସହଯୋଗୀ ଏଠାରେ ପ୍ରାର୍ଥୀ ହେବେ । ନନ୍ଦିଗ୍ରାମ ଆସନ ସେ ଛାଡ଼ିଥିଲେ ବି ସେଠାକାର ଲୋକଙ୍କୁ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, “ନନ୍ଦିଗ୍ରାମର ଲୋକଙ୍କୁ କେବେ ହେଲେ ମୁଁ ୫ ବର୍ଷ ମଧ୍ୟରେ ମୋର ଅନୁପସ୍ଥିତି ଅନୁଭବ କରିବାକୁ ଦେବି ନାହିଁ। ମୁଁ ନନ୍ଦିଗ୍ରାମ ସମେତ ରାଜ୍ୟବାସୀଙ୍କୁ ଦେଇଥିବା ସମସ୍ତ ବିକାଶମୂଳକ କାର୍ଯ୍ୟ କରିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି।” ଭବାନୀପୁର ହେଉଛି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଗଡ଼। ଏଠାରେ ମମତା କେବେ ବି ହାରି ନଥିଲେ। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ତାଙ୍କୁ ଅପ୍ରତ୍ୟାଶିତ ଭାବେ ୧୫,୧୦୫ ଖଣ୍ଡ ଭୋଟରେ ହରାଇଥିଲେ। ସେହିପରି ସେ ନନ୍ଦିଗ୍ରାମ ଆସନରେ ମଧ୍ୟ ଟିଏମସିର ପବିତ୍ର କରଙ୍କୁ ୯,୬୬୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *