ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ଏବଂ ସଂରକ୍ଷଣ ମାନ୍ୟତାକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ସ୍ପଷ୍ଟୋକ୍ତି ଅନୁଯାୟୀ, କେବଳ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମାବଲମ୍ବୀମାନେ ହିଁ ଅନୁସୂଚିତ ଜାତି (SC) ମାନ୍ୟତା ପାଇବା ପାଇଁ ଯୋଗ୍ୟ। ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କୌଣସି ଧର୍ମ ଗ୍ରହଣ କରନ୍ତି, ତେବେ ସେ ନିଜର ଅନୁସୂଚିତ ଜାତି ମାନ୍ୟତା ହରାଇବେ। ବିଚାରପତି ପି.କେ. ମିଶ୍ର ଏବଂ ବିଚାରପତି ଏନ.ଭି. ଅଞ୍ଜାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ହିନ୍ଦୁ ଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ ଧର୍ମ ଆପଣାଇଥିବା ବ୍ୟକ୍ତି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ର ସୁରକ୍ଷା ବା ସୁବିଧା ଦାବି କରିପାରିବେ ନାହିଁ। ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଏବଂ ସକ୍ରିୟ ଭାବେ ତାହା ପାଳନ କରୁଥିବା ବ୍ୟକ୍ତିଙ୍କୁ SC ସମ୍ପ୍ରଦାୟର ସଦସ୍ୟ ଭାବେ ବିବେଚନା କରାଯାଇପାରିବ ନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ କାଏମ ରଖିଛନ୍ତି। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ, ଯେଉଁମାନେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମରେ ଦୀକ୍ଷିତ ହୁଅନ୍ତି, ସେମାନେ ଜାତିଭିତ୍ତିକ ସଂରକ୍ଷଣ ବା ସୁରକ୍ଷା ପାଇଁ ଯୋଗ୍ୟତା ହରାଇଥାନ୍ତି। ଏହି ରାୟ ପରେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିମାନଙ୍କ ପାଇଁ ସାମ୍ବିଧାନିକ ସୁବିଧା ସୁଯୋଗ ପାଇବା କ୍ଷେତ୍ରରେ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *