ଜାମିନ ରେ ଆସିଥିବା ଅଭିଯୁକ୍ତ ୬ ଜଣଙ୍କୁ କଲା ନିର୍ମମ ହତ୍ୟା

ତେଲେଙ୍ଗନା: ଜାମିନରେ ଆସିଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ ଏବଂ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରିବା ପରେ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ନାବାଳିକା ଓ ତାଙ୍କ ପରିବାରର ଅନ୍ୟ ଦୁଇ ସଦସ୍ୟଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତ ରାଜକୁମାର ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ସେ ପ୍ରଥମେ ଶାବାଦ ସ୍ଥିତ ନିଜ ବାସଭବନରେ ନିଜ ପତ୍ନୀ ପାର୍ବତୀ ସରିତା ଏବଂ ତାଙ୍କର ୪ ବର୍ଷ ଓ ୧ ବର୍ଷର ଦୁଇ ପୁଅଙ୍କୁ ହତ୍ୟା କରିଥିଲେ। ପତ୍ନୀଙ୍କ ମୃତଦେହ ଥିବା ରୁମରୁ ହାତାହାତିର ଚିହ୍ନ ମିଳିଥିବା ବେଳେ ଦୁଇ ଶିଶୁଙ୍କୁ ନିଦ୍ରିତ ଅବସ୍ଥାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସମ୍ପର୍କୀୟମାନଙ୍କର କହିବା ଅନୁଯାୟୀ ଘରର କବାଟ ଭିତରପଟୁ ବନ୍ଦ ଥିଲା ଏବଂ ପଙ୍ଖା, ଏସି ଓ କୁଲର୍ ଚାଲୁ ରହିଥିଲା। ରାଜକୁମାର ଏବଂ ପାର୍ବତୀ ୨୦୧୮ ମସିହାରେ ପ୍ରେମ ବିବାହ କରିଥିଲେ। ନିଜ ପରିବାରର ସମସ୍ତ ଙ୍କୁ ହତ୍ୟା କରିବା ପରେ ରାଜକୁମାର ଚଳିତ ବର୍ଷ ମେ’ ମାସରେ ତାଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ଅଧୀନରେ ମାମଲା ରୁଜୁ କରିଥିବା ୧୭ ବର୍ଷୀୟା ନାବାଳିକାଙ୍କ ଘରେ ପହଞ୍ଚିଥିଲେ। ସେ ନାବାଳିକାଙ୍କ ୪୫ ବର୍ଷୀୟା ମା’ ଏବଂ ୬୫ ବର୍ଷୀୟା ଆଈଙ୍କୁ ଘରେ ହତ୍ୟା କରିଥିଲେ। ଏହାପରେ ନାବାଳିକାଙ୍କୁ ବଳପୂର୍ବକ ନିଜ କାରରେ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ହତ୍ୟା କରିଥିଲେ। ଗତ ମେ’ ମାସରେ ଉକ୍ତ ନାବାଳିକାଙ୍କୁ ପିଛା କରିବା ଓ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାଜକୁମାରଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବିଚାର ବିଭାଗୀୟ ଦଣ୍ଡର ଅବଧି ୭ ବର୍ଷରୁ କମ୍ ଥିବାରୁ ସେ ପରେ ଅଗ୍ରୀମ ଜାମିନରେ ଆସିଥିଲେ l ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *