ପୋଖରୀରେ ଓଲଟି ପଡ଼ିଲା ଟ୍ରାକ୍ଟର, ଇଞ୍ଜିନ ତଳେ ଚାପି ହୋଇଗଲେ ଚାଳକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଧୀନ ଗୁଆପୁର ବାଲୁଙ୍କେଶ୍ୱର ନିକଟରେ ଆଜି ଏକ ଟ୍ରାକ୍ଟର ପୋଖରୀରେ ଓଲଟି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩ ଘଣ୍ଟାର ଅପରେସନ୍‌ ପରେ ପାଣି ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର କରାଗଲା । ମୃତ ଟ୍ରାକ୍ଟର ଚାଳକ ହେଲେ ଆଲୋଇ ଗାଁର ସୌମ୍ୟରଞ୍ଜନ କାଣ୍ଡି ଓରଫ ବିପିନ। ଖବର ଅନୁସାରେ, ଆଜି କୌଣସି କାରଣରୁ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇବା ଫଳରେ ରାସ୍ତା କଡ଼ରେ ଥିବା ଏକ ପୋଖରୀକୁ ଓଲଟି ପଡ଼ିଥିଲା। ଟ୍ରାକ୍ଟରର ଇଞ୍ଜିନ ଚାଳକଙ୍କ ଉପରେ ପଡ଼ିଯାଇଥିବାରୁ ସେ ଇଞ୍ଜିନ ତଳେ ପାଣି ଭିତରେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟଆରମ୍ଭ ହୋଇଥିଲା । ପୋଖରୀର ଗଭୀରପାଣିରେ ଇଞ୍ଜିନ ତଳେ ଚାପି ହୋଇଯିବାରୁ ଚାଳକଙ୍କୁ ବାହାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇଥିଲା। ପ୍ରାୟ ୩ ଘଣ୍ଟାର କଠିନ ପରିଶ୍ରମ ପରେ ଚାଳକଙ୍କୁ ପାଣି ଭିତରୁ ବାହାର କରାଯାଇଥିଲା। ଉଦ୍ଧାର ପରେ ସୌମ୍ୟରଞ୍ଜନଙ୍କୁ ବାଲିପାଟଣା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା। ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *