ଇରାନର ୫ ତୈଳବାହୀ ଜାହାଜକୁ ଟାର୍ଗେଟ୍ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକୀୟ ସେନା ଓମାନ ଉପସାଗର ଓ ଇରାନର ଖର୍ଗ ଦ୍ବୀପ ନିକଟରେ ଇରାନର ୫ଟି ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ କରିଛି । ଆମେରିକା କହିଛି ଯେ ଇରାନ ତା’ର ଏକ ଯୁଦ୍ଧ ଜାହାଜ ଉପରକୁ ଗତ ଦୁଇ ଦିନରେ ଦୁଇ ଥର ବାଲାଷ୍ଟିକ ମିସାଇଲ ମାଡ଼ କରିଥିଲା । ଏହାର ଜବାବରେ ମଙ୍ଗଳବାର ଇରାନର ୫ଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ କରାଯାଇଛି । ଅନ୍ୟପକ୍ଷରେ ଆମେରିକାର ଏହି ଆକ୍ରମଣ ପରେ କଡ଼ା ଜବାବ ଦେଇଛି ଇରାନ। ଜୋର୍ଡାନ ସ୍ଥିତ ଆମେରିକୀୟ ବେସ୍ ଉପରେ ଆକ୍ରମଣ କରିଛି ଇରାନ ସେନା। ଇରାନର ୫ଟି ଯାକ ତୈଳବାହୀ ଜାହାଜ ଉପରେ ଆକ୍ରମଣ କରାଯିବା ପୂର୍ବରୁ ସେଥିରେ ଥିବା ନାବିକ ଓ ଅନ୍ୟମାନଙ୍କୁ ଜାହାଜରୁ ବାହାରିଯିବାକୁ କୁହାଯାଇଥିଲା। ଇରାନ ପକ୍ଷରୁ କରାଯାଇଥିବା ମିସାଇଲ ଆକ୍ରମଣକୁ ଆମେରିକୀୟ ସେନା ନିଷ୍ଫଳ କରି ଦେଇଥିଲା। ଇରାନର ଆକ୍ରମଣରେ ଆମେରିକୀୟ ସେନାର କିଛି କ୍ଷତି ହୋଇନାହିଁ। ଅଲ୍ ଜଜିରାରେ ପ୍ରକାଶିତ ଖବର ଅନୁଯାୟୀ ଜୋର୍ଡାନର ଅଲ୍ ଆଜରାକ ଏୟାର ବେସ୍ ଉପରେ ଇରାନ ପ୍ରତିଆକ୍ରମଣ କରିଥିଲା | ଜୋର୍ଡାନ ପକ୍ଷରୁ କୁହାଯାଇଛି ଯେ ଇରାନ ପକ୍ଷରୁ ନିକ୍ଷେପ କରାଯାଇଥିବା ୨୦ଟି ମିସାଇଲରୁ ୧୮ଟିକୁ ଆକାଶରେ ନଷ୍ଟ କରି ଦିଆଯାଇଥିଲା। ଆଉ ୨ଟି ଖୋଲା ଅଞ୍ଚଳରେ ପଡ଼ିଥିଲା। ଇରାନ ଦାବି କରିଛି ଯେ ଏହାର ଆକ୍ରମଣରେ ଆମେରିକୀୟ ଯୁଦ୍ଧବିମାନ ବ୍ୟବହାର କରୁଥିବା ହ୍ୟାଙ୍ଗରଗୁଡ଼ିକ ଧ୍ୱଂସ ହୋଇଯାଇଛି । ଏହା ସହିତ କୁଏତ ଏବଂ ବହରିନ ବନ୍ଦରଗୁଡ଼ିକରେ ଥିବା ତୈଳ ଜାହାଜଗୁଡ଼ିକୁ ନିଶାନା କରିବାକୁ ଧମକ ଦେଇଛି ଇରାନ। ଜାହାଜର କର୍ମଚାରୀମାନଙ୍କୁ ତୁରନ୍ତ ସେହି ସ୍ଥାନ ଖାଲି କରିବାକୁ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *