ନାବାଳିକାକୁ ନିର୍ଯାତନା ବାପା କୁ ସାତ ବର୍ଷ ଜେଲଦଣ୍ଡ

ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଜନୈକ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ କରି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପିତା ବାଦଲ ସିଂକୁ 7 ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।ମାମଲାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ବାସୁଖୁଣ୍ଟା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାଦଲ ସିଂ ନିଜ ୧୦ ବର୍ଷର ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା। ନାବାଳିକା ଜଣକ ବାପା ବାଦଲର ବ୍ୟବହାରରେ ଅତିଷ୍ଠ ହୋଇ ଘଟଣା ସଂକ୍ରାନ୍ତରେ ସମ୍ପର୍କୀୟ ମାଉସୀଙ୍କୁ କହିଥିଲେ। ପରେ ମାଉସୀ ଜଣକ ଗତ ଜାନୁୟାରୀ 2 ତାରିଖରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ।ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲା। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା। ଗତ କାଲି କୋର୍ଟ ଏହି ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (BNS) ତଥା ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ 7 ବର୍ଷ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡିତ କରିଛନ୍ତି।ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକୁ ନିଜେ ଅନୁଧ୍ୟାନ କରୁଛନ୍ତି। ଏହା ସହ ଏଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତଦନ୍ତକାରୀ ଅଧିକାରୀ ମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଓ ଉପକରଣର ବ୍ୟବହାର କରି ତ୍ୱରିତ ବେଗରେ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୋଲିସର ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା, ପୀଡିତା ଏବଂ ସାକ୍ଷୀ ମାନଙ୍କ ବୟାନ ଯୋଗୁଁ ଏହି ମାମଲାରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି।ରେମୁଣା ଥାନା ସବ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମଲ୍ଲିକ ଏହି ମାମଲାର ତଦନ୍ତ କରିଥିବା ବେଳେ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *