ସ୍ୱାଧୀନତା ଦିବସ ପାଳନବେଳେ ‘ବନ୍ଦେ ମାତରମ୍‌’ ଗାନକୁ ଅଧାରୁ ରୋକିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ: ସୋନିଆ ଗାନ୍ଧିଙ୍କୁ କଡ଼ା ସମାଲୋଚନା କଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ସମୟରେ ପତାକା ଉତ୍ତୋଳନ ପୂର୍ବରୁ ‘ବନ୍ଦେ ମାତରମ୍‌’ ଗାନ କରାଯାଉଥିବା ବେଳେ ଏହାକୁ ଅଧାରୁ ରୋକିବାକୁ ଚେଷ୍ଟା କରିଥିବା ଅଭିଯୋଗ ରେ ସୋନିଆ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସୋନିଆ ଗାନ୍ଧି କରିଥିବା ଏହି ପାପକୁ ଦେଶବାସୀ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି। ରାଜସ୍ଥାନର ଚିତ୍ତୋଡ଼ଗଡ଼ରେ ଏକ ଜନସଭାକୁ ସମ୍ବୋଧିତ କରି ଶାହ ଅଭିଯୋଗ କରିଛନ୍ତି,କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ ମାତରମ୍‌’ ଗାନ କରାଯାଉଥିଲା। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି କଂଗ୍ରେସ ସଭାପତିଙ୍କୁ ଏହାକୁ ବନ୍ଦ କରିବାକୁ କହିଥିଲେ। ଆମେ ସମସ୍ତେ ଟିଭିରେ ଏହାକୁ ଦେଖିଲେ।

ସେ କହିଛନ୍ତି ଯେ ସୋନିଆ ଜୀ, ୧୪୦ କୋଟି ଦେଶବାସୀ ଆପଣଙ୍କୁ ଦେଖିଛନ୍ତି। ଆପଣ କରିଥିବା ଏହି ପାପକୁ ଦେଶବାସୀ କେବେ ବି କ୍ଷମା କରିବେ ନାହିଁ। ‘ବନ୍ଦେ ମାତରମ୍‌’ ଗୀତକୁ ଅଧାରୁ ଛାଡ଼ିବା କଥା କେହି ସ୍ୱପ୍ନରେ ସୁଦ୍ଧା କିପରି ଭାବିପାରିବେ? କଂଗ୍ରେସ ଲୋକମାନେ ଲଜ୍ଜିତ ହେବା ଉଚିତ। ଏହାସହ କଂଗ୍ରେସ ଦେଶବାସୀଙ୍କୁ ଏବଂ ‘ବନ୍ଦେ ମାତରମ୍‌’ର ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁ ବୋଲି ଶାହ ଦାବି କରିଛନ୍ତି। କଂଗ୍ରେସ ମୁଖ୍ୟାଳୟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରୁ କିଛି ଭିଡିଓ ସାମ୍ନାକୁ ଆସିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା, ଯେଉଁଥିରେ ‘ବନ୍ଦେ ମାତରମ୍‌’ ଗାନ ସମୟରେ ବରିଷ୍ଠ କଂଗ୍ରେସ ନେତାମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *