ଏଣିକି ମହଙ୍ଗା ହେବ ଆପାର୍ଟମେଣ୍ଟ କିଣା

ଭୁବନେଶ୍ୱର: ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ମୂଲ୍ୟ ଅନୁଯାୟୀ ୩%, ୪% ଓ ୫% ଭାବେ ତିନୋଟି ସ୍ଲାବ୍‌ରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଥିଲା। କିନ୍ତୁ ଏବେ ସେହି ବ୍ୟବସ୍ଥାକୁ ହଟାଇ ସମସ୍ତଙ୍କ ପାଇଁ ସିଧାସଳଖ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ କରାଯାଇଛି। ବୁଧବାର ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁର କରିଛି। ଏହି ନୂଆ ନିୟମ ପରେ ଆପାର୍ଟମେଣ୍ଟ କିଣିବା ଆଉ ଅଧିକ ମହଙ୍ଗା ହେବ। ପୂର୍ବରୁ ୫ ଲକ୍ଷ ପର୍ଯ୍ୟନ୍ତ ଘର କିଣିଲେ ୩% ଏବଂ ୫ରୁ ୧୫ ଲକ୍ଷ ମଧ୍ୟରେ ୪% ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡୁଥିଲା। କିନ୍ତୁ ଏବେ ମୂଲ୍ୟ ଯେତେ ହେଉନାହିଁ, ସିଧା ୫% ଡ୍ୟୁଟି ଦେବା ଅନିବାର୍ୟ। ଏହା ସହିତ ପୂର୍ବର ରେଜିଷ୍ଟ୍ରେସନ୍ ଫି’ ମଧ୍ୟ ଲାଗୁ ରହିବ। ରାଜସ୍ୱ ବିଭାଗ କହୁଛି, ବର୍ତ୍ତମାନ ସମୟରେ ୧୫ ଲକ୍ଷରୁ କମ୍ ମୂଲ୍ୟରେ ଫ୍ଲାଟ୍‌ ମିଳୁନାହିଁ, ସେଥି ପାଇଁ ପୁରୁଣା ସ୍ଲାବ୍ ବ୍ୟବସ୍ଥାକୁ ହଟାଯାଇଛି। ଅନ୍ୟ ରାଜ୍ୟରେ କମ୍ ମୂଲ୍ୟର ଘର ପାଇଁ ରିହାତି ଥିବା ବେଳେ ଓଡ଼ିଶାରେ ଏହି ପଦକ୍ଷେପ ନେଇ ବିରୋଧ ବଢ଼ିଛି। ଏହା ଦ୍ୱାରା ଘର ମୂଲ୍ୟ ଆଉ ବଢ଼ିବ ଓ ବଜାରରେ ଅନେକ ଫ୍ଲାଟ୍ ଖାଲି ପଡି ରହିବା ସମ୍ଭାବନା ରହିଛି। ତଥାପି ସରକାର ପକ୍ଷରୁ କୁହାଯାଇଛି ଯେ ସୁଲଭ ଗୃହ ଯୋଜନା ପାଇଁ ବିଶେଷ ରିହାତି ବିଚାରଧୀନ ଅଛି।

Leave a Reply

Your email address will not be published. Required fields are marked *