ନବରତ୍ନ କମ୍ପାନି ନାଲ୍‌କୋରେ ସିବିଆଇ ର ଯାଞ୍ଚ

ଭୁବନେଶ୍ବର: ନବରତ୍ନ କମ୍ପାନି ନାଲ୍‌କୋରେ ଅଫିସ ରେ ସିବିଆଇ ଯାଞ୍ଚ କରିଛି। ନିଯୁକ୍ତି ସଂକ୍ରାନ୍ତୀୟ ଏକ ଅଭିଯୋଗ ଉପରେ ଏହି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ତେବେ ସିବିଆଇ ହାତରେ ନିର୍ଦ୍ଦିଷ୍ଟ ପ୍ରମାଣ କିଛି ଲାଗିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ପୂର୍ବରୁ ଘରୋଇ ଅସ୍ଥାୟୀ କର୍ମଚାରୀଙ୍କ ଅଭିଜ୍ଞତା ଥିବ‌ା ଦର୍ଶାଇ ୨୦ ଜଣଙ୍କୁ ନାଲ୍‌କୋରେ ନିଯୁକ୍ତି ମିଳିଥିବା ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। କିଛି ଉପରିସ୍ଥ ଅଧିକାରୀ ଅର୍ଥ ନେଇ ନିଯୁକ୍ତି ଦେଇଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ସିବିଆଇର ୬ ଜଣିଆ ଟିମ୍‌ ନାଲ୍‌କୋ ଅଫିସ୍‌ରେ ପଶି ଖୋଳତାଡ଼ କରିଥିଲେ। ‌ତେବେ ସିବିଆଇ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ନାଲ୍‌କୋ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଅଭିଯୋଗ ଆଧାରରେ ନିୟମିତ ବ୍ୟବଧାନରେ ହେଉଥିବା ଅଡିଟ୍‌ର ଅଂଶସ୍ବରୂପ ସିବିଆଇ ଅଧିକାରୀମାନେ ମଙ୍ଗଳବାର ନାଲ୍‌କୋ କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ନିଯୁକ୍ତି ପାଇଁ ରହିଥିବା ପ୍ରକ୍ରିୟାକୁ ପାଳନ କରାଯାଉଛି ନା ନାହିଁ, ତାହା ଜାଣିବାକୁ ସେମାନେ ଆସିଥିଲେ। ନାଲ୍‌କୋ ଏକ ସରକାରୀ ସଂସ୍ଥା ହୋଇଥିବାରୁ ଏହି ପ୍ରକ୍ରିୟାକୁ ବୈଧାନିକ ଓ ବାହ୍ୟ ଏଜେନ୍ସି ଦ୍ବାରା ଅଡିଟ୍‌ କରାଯାଏ। ସିବିଆଇ ଅଧିକାରୀ ପରିଦର୍ଶନ କରିବା ତାହାର ଏକ ଅଂଶ।

Leave a Reply

Your email address will not be published. Required fields are marked *