CMOରୁ ଫାଇଲ୍‌ ହଜିବା ଘଟଣାରେ ହୋଇପାରେ ନବୀନଙ୍କୁ ଜେରା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିବା ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେରା ହୋଇପାରନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗୃହ ବିଭାଗର ରିପୋର୍ଟ ମୁତାବକ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଓ ଏହାର ପରବର୍ତ୍ତୀ ଦଙ୍ଗା ଘଟଣାରେ ଜଷ୍ଟିସ୍‌ ଏସ୍‌. ନାଇଡୁଙ୍କ ତଦନ୍ତ ରିପୋର୍ଟ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ହଜିଯାଇଛି। ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘୨୦୨୪ ଜୁନ୍‌ ୪ରେ ଫାଇଲ୍‌ ଯିବାର ପ୍ରମାଣ ମିଳିଛି। ଯେଉଁ ଅଧିକାରୀ ନେଲେ ଓ ଯାହାକୁ ଦେଲେ ଜେରା ହେବେ। ତେଣୁ ଏହି ଧାରାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ବି ଜେରା କରାଯିବ। ଫାଇଲ୍‌ ଯିବାର ପ୍ରମାଣ ଅଛି, ଫେରିବାର ପ୍ରମାଣ ନାହିଁ। ୨ଟି କମିଶନ ରିପୋର୍ଟକୁ ନେଇ ତତ୍‌କାଳୀନ ସରକାର କାଠଗଡ଼ାରେ ଥିଲେ। ଫାଇଲ୍‌ ବ୍ୟବସ୍ଥିତ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଛି। ଗୃହ ବିଭାଗ ଫାଇଲ୍‌ ନମ୍ବର ପକାଇ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛି। ସେଠାରୁ ଡିସ୍‌ପାଚ୍‌ ନମ୍ବର ପଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଜଣେ ଅନୁ ସଚିବ ତାହାକୁ ଦସ୍ତଖତ କରି ରିସିଭ୍‌ କରିଛନ୍ତି। ତେଣୁ ତା’ପରେ ଫାଇଲ୍‌ ମିଳିଲାନି କହିଲେ ହେବନାହିଁ, ତାହା ଚୋରି ହୋଇଛି। ଏହି ଘଟଣା ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ଦିନ ଘଟିଛି।’ ଏହି ବିଷୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜେରାର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *