କଫ୍ ସିରପରେ ନାହିଁ ହାନିକାରକ ପଦାର୍ଥ:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ କଫ୍ ସିରପ୍ ଯୋଗୁଁ ୧୨ ଶିଶୁଙ୍କ ମୃତ୍ୟୁ ହେବା ଉପରେ ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କଫ୍ ସିରପ୍ ନମୂନାରେ ଡାୟଥିଲିନ ଗ୍ଲାଇକୋଲ୍ (ଡିଇଜି) ବା ଏଥିଲିନ୍ ଗ୍ଲାଇକୋଲ୍ (ଇଜି) ଭଳି କିଛି କ୍ଷତିକାରକ ରାସାୟନିକ ପଦାର୍ଥ ନ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥା (ଏନ୍ଆଇଭି), କେନ୍ଦ୍ର ଔଷଧମାନକ ନିୟନ୍ତ୍ରଣ ସଂଗଠନ (ସିଜିଏସସିଓ) ଏବଂ ରାଜ୍ୟ ଅଧିକାରୀ ମାନଙ୍କୁ ନେଇ ଗଠିତ ଟିମ୍ ବିଭିନ୍ନ କଫ୍ ସିରପ ନମୂନା ସଂଗ୍ରହ କରିଥିଲେ । ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଡାୟଥିଲିନ ଗ୍ଲାଇକୋଲ୍ କିମ୍ବା ଏଥିଲିନ୍ ଗ୍ଲାଇକୋଲ୍ ସେଥିରୁ ମିଳିନାହିଁ । ଯାହା କିଡନୀକୁ ଗଭୀର ଭାବରେ କ୍ଷତି ପହଁଚାଇଥାଏ । କେବଳ ସେତିକି ନୁହେଁ ମଧ୍ୟ ପ୍ରଦେଶର ରାଜ୍ୟ ଖାଦ୍ୟ ଓ ଔଷଧ ପ୍ରଶାସନ ମଧ୍ୟ ତିନୋଟି ନମୂନାରେ ଏପରି କିଛି ପାଇନଥିବା ସ୍ପଷ୍ଟ କରିଛି ।ରାଜସ୍ଥାନରେ ହୋଇଥିବା ଶିଶୁ ମୃତ୍ୟୁ କାରଣ କଫ୍ ସିରପ୍ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱୀକାର କରିଛି । ସେହି କଫ୍ ସିରପରେ ଡେକ୍ସଟ୍ରୋମେଥୋରଫାନ ଆଧାରିତ ଫର୍ମୁଲେସନ ବ୍ୟବହାର କରାଯାଇଛି । ଯାହାକି ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ନୁହେଁ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ସତର୍କ ସୂଚନା ଜାରି କରିଛି । ୫ ବର୍ଷରୁ କମ୍ ଶିଶୁଙ୍କୁ କଫ୍ ସିରପ୍ ଦେଉଥିଲେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଦୁଇ ବର୍ଷରୁ କମ୍ ଶିଶୁଙ୍କୁ କାଶ ଏବଂ ଥଣ୍ଡା ମେଡ଼ିସିନ ବିଲକୁଲ ନ ଦେବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *