ନୀଳଗିରିରେ ପେଟ୍ରୋଲ ପମ୍ପରେ ବିସ୍ଫୋରଣ

ନୀଳଗିରି: ନୀଳଗିରିରେ ପେଟ୍ରୋଲ ପମ୍ପରେ ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟରରେ କାଟୁଥିବା ବେଳେ ପେଟ୍ରୋଲ ପମ୍ପରେ ଅଘଟଣ ଘଟିଛି। ପୁରୁଣା ଟାଙ୍କି କାଟିବା ବେଳେ ବିସ୍ଫୋରଣ ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବିମ୍ବୁରିଆ ଗ୍ରାମର ବିରେନ୍ଦ୍ର ସିଂହ। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ଖବର ଅନୁଯାୟୀ, ପେଟ୍ରୋଲ ପମ୍ପରେ କମ୍ପାନୀ ପକ୍ଷରୁ ଏକ ନୂଆ ଟାଙ୍କି ସ୍ଥାପନ କରାଯାଇ ପୁରୁଣା ଟାଙ୍କି ଉପରେ ରଖାଯାଇଥିଲା। ପୁରୁଣା ଟାଙ୍କିକୁ ଗ୍ୟାସ୍ କଟର ସାହାଯ୍ୟରେ କାଟିବା କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ଟାଙ୍କିରୁ ଛିଟିକି ଆସିଥିବା ଲୁହା ଖଣ୍ଡ ବିରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଖବର ପାଇ ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳଲୋଚନ ନାୟକ ଏବଂ ଗ୍ୟାସ୍ କଟର କାମରେ ନିୟୋଜିତ ଦୁଇ ଜଣ କର୍ମଚାରୀଙ୍କୁ ଥାନାକୁ ନେଇଛି । ଘଟଣାରେ ଉତ୍ତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ପେଟ୍ରୋଲ ପମ୍ପ ପରିସରରେ ଭଙ୍ଗାରୁଜା କରିଛନ୍ତି । ମୃତକ ବୀରେନ୍ଦ୍ରଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ନୀଳଗିରି-ସେରଗଡ଼ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରୁଛି ।

Leave a Reply

Your email address will not be published. Required fields are marked *