ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ହେଲେ କ୍ଷମତା ଅଧିକାରୀଙ୍କୁୁ ଏଭଳି ଅନ୍ଧ କରିଦେଉଛି, ଅନେକ ସମୟରେ ନୀତି ନିୟମ ଭୁଲି ଯାଉଛନ୍ତି; ଯେଉଁଥିପାଇଁ ସରକାରଙ୍କ ପକ୍ଷରୁ ଯେତେ କାଗଜ ଡରାଣ ଦେଖାଗଲେ ମଧ୍ୟ ତାକୁ ଅଧିକାରୀମାନେ ମାନିବାକୁ ନାରାଜ। ଏଭଳି ଏକ ଉଦାହରଣ ଅର୍ଥ ବିଭାଗରେ ଦେଖିବାକୁ ମିଳିଛି। ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ବଦଳି ନିର୍ଦ୍ଦେଶନାମା ଜାରି ହେଉଥିଲେ ହେଁ ସେମାନେ ଘୁଞ୍ଚୁ ନାହାନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନେଇନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଯଦି ଏହି ପତ୍ର ପାଇବା ପରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି। ସୁନେଇନା ସିଂହ ଦେଇଥିବା ପତ୍ରରେ ବରିଷ୍ଠ ଓଏଫ୍‌ଏସ୍‌ ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା ସାହୁ, ପଦ୍ମଜ୍ୟୋତି ସାହୁ, ବିଚିତ୍ର ଗମାଙ୍ଗୋ, ବିରଞ୍ଚିି ମହାନନ୍ଦିଆ, ପଦ୍ମାବତୀ ନାୟକ ଓ ବିଭୂତେନ୍ଦୁ ପ୍ରତାପ ଲେଙ୍କା ରହିଛନ୍ତି। ସିଂହ ଦର୍ଶାଇଛନ୍ତି, ବିଭାଗ ପକ୍ଷରୁ ଏହା ପୂର୍ବରୁ ୨୦୨୫ ଅକ୍ଟୋବର ୧୬ ଏବଂ ୨୪ରେ ଦୁଇଥର ବିଜ୍ଞପ୍ତି ଜାରି ହେବା ସହିତ ମୌକ୍ଷିକ ଭାବେ କୁହାଯାଇଛି। ମାତ୍ର ସମ୍ପୃକ୍ତ ଅଧିକାରୀ ନିଜ ସ୍ଥାନ ଛାଡୁ ନାହାନ୍ତି। ଅଧିକାରୀମାନେ ବଦଳି ସ୍ଥାନରେ ଯୋଗ ନ ଦେବା ଯୋଗୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ସରକାରୀ ବିଶୃଙ୍ଖଳା ଭାବେ କାହିଁକି ଗ୍ରହଣ କରା ନ ଯିବ। ଯଦି ଚିଠି ପାଇବାର ୭ଦିନ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦିଅନ୍ତି କିମ୍ବା ବିଭାଗକୁ ଅବଗତ ନ କରାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂହ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *