NOC ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିଅର ଆସିଷ୍ଟାଣ୍ଟ

ଭଦ୍ରକ: ଘରୋଇ ସ୍କୁଲକୁ NOC ପ୍ରଦାନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ NOC ପ୍ରଦାନ କରିବା ପାଇଁ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଅଭିଯୋଗକାରୀ ପ୍ରଶାନ୍ତ ସାହୁଙ୍କ ନିକଟରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ପ୍ରଶାନ୍ତ ସାହୁ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟାଳୟ ପରିସରରେ ଗୁପ୍ତ ଭାବେ ନଜର ରଖିଥିଲେ। ପରେ ଅଭିଯୋଗକାରୀ ଦାବି ଅନୁଯାୟୀ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଶ୍ରୀକାନ୍ତ ଦାସଙ୍କୁ ଧରିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଅଧିକାରୀମାନେ ସମ୍ପୃକ୍ତ କାଗଜପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଛି। ବିଭାଗୀୟ ଓ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଶ୍ରୀକାନ୍ତ ଦାସଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *