କପିଲଙ୍କ କାଫେ ଉପରେ ଆକ୍ରମଣ ତାପରେ ପୁଣି ମିଳିଲା ଲରେନ୍ସର ଧମକ

ମୁମ୍ବାଇ: କାନାଡାର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେ ଉପରେ ଗୁରୁବାର ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ବୋଲି ପ୍ରଶ୍ନ ଉଠୁଥିବା ବେଳେ ଏବେ ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସାମ୍ନାକୁ ଆସିଛି। ଏହା ସହ ଲରେନ୍ସ ବିଷ୍ଣୋଇ କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରୁଛି ତାହା ମଧ୍ୟ ସାମ୍ନାକୁ ଆସିଛି। ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରଙ୍କ ଅଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ, କପିଲ, ସଲମାନଙ୍କୁ ତାଙ୍କ ସୋ’ର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ସେଥିପାଇଁ ତାଙ୍କ କାଫେରେ ଗୁଳିଚାଳନା କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଯିଏ ସଲମାନଙ୍କ ସହ କାମ କରିବ ସେ ମରିବ।
ହ୍ୟାରି ବକ୍ସର ଧମକ ଦେଇ କହିଛି ଯେ, “ପୂର୍ବରୁ ଏବଂ ଏବେ କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟ ଉପରେ ଏଥିପାଇଁ ଗୁଳିମାଡ଼ ହୋଇଛି, କାରଣ ସେ ସଲମାନ ଖାନଙ୍କୁ ନେକ୍ସଟଫ୍ଲିକ୍ସର ସୋ’ର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ପରବର୍ତ୍ତୀ ସମୟରେ, ଯଦି କୌଣସି ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର ତାଙ୍କ ସହ କାମ କରନ୍ତି ତେବେ ଚେତାବନୀ ପରିବର୍ତ୍ତେ ସିଧାସଳଖ ଗୁଳି ସେମାନଙ୍କ ଛାତିରେ ବାଜିବ। ମୁମ୍ବାଇର ସମସ୍ତ କଳାକାର ଏବଂ ପ୍ରଯୋଜକଙ୍କ ପାଇଁ ଏହି ଚେତାବନୀ ଦିଆଯାଉଛି। ଆମେ ମୁମ୍ବାଇର ପରିବେଶକୁ ଏତେ ନଷ୍ଟ କରିଦେବୁ ଯେ ତୁମେମାନେ ନିଜ ଜୀବନରେ କେବେ ବି ଭାବି ମଧ୍ୟ ନଥିବ। ଯଦି କେହି ସଲମାନଙ୍କ ସହିତ କାମ କରୁଛି, ସେ ଜଣେ ଛୋଟ କଳାକାର ହେଉ କି ଜଣେ ଛୋଟ ନିର୍ଦ୍ଦେଶକ, ଆମେ କାହାକୁ ଛାଡିବୁ ନାହିଁ। ଆମେ ତାକୁ ମାରିଦେବୁ। ଯଦି କେହି ସଲମାନ ଖାନଙ୍କ ସହିତ କାମ କରିବ, ତେବେ ସେ ନିଜ ମୃତ୍ୟୁ ପାଇଁ ନିଜେ ଦାୟୀ ରହିବ।”

Leave a Reply

Your email address will not be published. Required fields are marked *