ଗୁଗୁଲ୍ ଓ ମେଟାକୁ ନୋଟିସ୍‌ ଦେଲା ଇଡି

ନୂଆଦିଲ୍ଲୀ: ଅନଲାଇନ୍ ବେଟିଂ ଆପ୍ ମାମଲାର ତଦନ୍ତ ସହିତ ଜଡିତ ଟେକ୍ କମ୍ପାନି ଗୁଗୁଲ୍ ଏବଂ ମେଟାକୁ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସେମାନଙ୍କୁ ଇଡି ନୋଟିସ୍‌ ଜାରି କରି ଜୁଲାଇ ୨୧ ତାରିଖରେ ପଚରାଉଚରା ପାଇଁ ସମନ କରିଛି। ଗୁଗୁଲ୍ ଏବଂ ମେଟା ଉଭୟ ବେଟିଂ ଆପ୍ଲିକେସନ୍ଗୁଡ଼ିକର ପ୍ରଚାର କରୁଛନ୍ତି ବୋଲି ଇଡି ଅଭିଯୋଗ ଆଣିଛି।କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ଯେ ଏହି ଟେକ୍ କମ୍ପାନିଗୁଡ଼ିକ ପ୍ରମୁଖ ବିଜ୍ଞାପନ ସ୍ଲଟ୍ ପ୍ରଦାନ କରିଥିଲେ। ଏହାଛଡ଼ା ଏହି ଅନଲାଇନ୍ ବେଟିଂ ଆପ୍‌ ସହିତ ଲିଙ୍କ୍ ହୋଇଥିବା ୱେବସାଇଟ୍ ଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମ ଜରିଆରେ ଭିଜିଟ୍‌ ଅନୁମତି ଦେଇଥିଲେ। ଯାହା ଫଳରେ ଏହି ଅବୈଧ କାର୍ଯ୍ୟଗୁଡ଼ିକର ବ୍ୟାପକ ପ୍ରସାର ହୋଇଛି। ମହାଦେବ ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ହଜାର ହଜାର କୋଟି ଟଙ୍କାର ବେଆଇନ କାରବାରର ତଦନ୍ତ ପରିସରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଗଲ୍ ଏବଂ ମେଟାର ପ୍ଲାଟଫର୍ମଗୁଡିକରେ ଏହି ବେଆଇନ ବେଟିଂ ଆପ୍‌ଗୁଡ଼ିକର ବ୍ୟାପକ ବିଜ୍ଞାପନ କରାଯାଉଥିଲା । ଏହି ଆପ୍‌ଗୁଡ଼ିକ ନିଜର ପ୍ରଚାର ପାଇଁ ଡିଜିଟାଲ୍ ମାର୍କେଟିଂ ଉପରେ ବହୁଳ ଭାବରେ ନିର୍ଭରଶୀଳ ଥିଲେ । ତଦନ୍ତରୁ ଜଣାପଡିଛି ଯେ ଏହି ବେଟିଂ ପ୍ଲାଟଫର୍ମଗୁଡ଼ିକ ଭାରତରେ ନିଜର ବ୍ୟବସାୟର ପ୍ରସାର ପାଇଁ ବିଜ୍ଞାପନ ବାବଦରେ ପ୍ରାୟ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ବିପୁଳ ପରିମାଣର ଅର୍ଥର ଏକ ବଡ଼ ଅଂଶ ଗୁଗଲ୍ ଏବଂ ମେଟାକୁ ବିଜ୍ଞାପନ ଶୁଳ୍କ ଭାବରେ ଦିଆଯାଇଥିବା ଇଡି ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *