ଜନ୍ମଦିନରେ ଗିରଫ ହେଲେ ବଡ଼ ଘରର ପୁଅ; ଚୈତନ୍ୟ ବାଘେଲ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ହେଲେ ଗିରଫ। ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। କୁହାଯାଉଛି ଯେ, ଚଢ଼ାଉ ପରେ ଇଡି ଦଳ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ଏହା ସହ ଚଢ଼ାଉ ଏବେ ବି ଜାରି ରହିଥିବା ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ଆଜି ହେଉଛି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ। ଜନ୍ମଦିନରେ ତାଙ୍କୁ ଗିରଫ କରି ଇଡି ତାଙ୍କୁ ଉପହାର ଦେଇଥିବା ଭୂ‌ପେଶ ବାଘେଲ କହିଛନ୍ତି। ଇଡି ଦଳ ଚଢାଉ ପାଇଁ ପହଞ୍ଚିବା ପରେ ଭୂପେଶ ବାଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ତାଙ୍କ ପୁଅକୁ ‘ଜନ୍ମଦିନର ଉପହାର’ ମିଳିଛି। ଅନ୍ୟପକ୍ଷରେ, ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭୂପେଶ ବାଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ଓ ଭୂପେଶଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

ଛତିଶଗଡ଼ରେ ଅବକାରୀ ଦୁର୍ନୀତିକୁ ନେଇ ଇଡିର ତଦନ୍ତରୁ ଏକ ବଡ଼ ଖୁଲାସା ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ। ଏହି ଦୁର୍ନୀତିରୁ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ଆୟ ହୋଇଥିଲା। ଇଡିର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ଦିଆଯାଉଥିଲା। ଏହି ପରିମାଣ ଦୁର୍ନୀତିରୁ ହେଉଥିବା ଆୟରୁ ଦିଆଯାଇଥିଲା। ଏହି ଦୁର୍ନୀତିରେ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିବାରୁ ପଚରାଉଚରା ପାଇଁ ତାଙ୍କୁ ଉଠାଇ ନେଇଛି ପୁଲିସ।

Leave a Reply

Your email address will not be published. Required fields are marked *