ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ; ବିଜେନ୍ଦ୍ର ଓ ବିଜୟ ହେଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ବିହାରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ରାଜଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଅତା ହସନେନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତିଶ କୁମାରଙ୍କ ଇସ୍ତଫା ପରେ ବିଜେପି-ଜେଡିୟୁ ମେଣ୍ଟରେ ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଛି। ଜେଡିୟୁ ନେତା ବିଜେନ୍ଦ୍ର ଯାଦବ ଏବଂ ବିଜୟ କୁମାର ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମଙ୍ଗଳବାର (୧୪ ଏପ୍ରିଲ) ଦିନ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସମ୍ରାଟ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଗତ କିଛି ଦିନର ଘନଘନ ରାଜନୈତିକ ଘଟଣାକ୍ରମ ପରେ ବିହାରରେ ଏହି ନୂତନ ସରକାର ଗଠିତ ହୋଇଛି। ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ଏହି ସରକାର ଆଗାମୀ ଦିନରେ ରାଜ୍ୟର ବିକାଶ ଧାରାକୁ କିପରି ଆଗକୁ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *