ମୋଦୀଙ୍କ ସହ ୪୦ ମିନିଟ୍ ଫୋନ ରେ ଆଲୋଚନା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଏହା ପରେ ମୋଦି ତାଙ୍କ ସରକାରୀ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଫୋନ୍ ପାଇଥିଲି । ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମୀକ୍ଷା କରିଛୁ । ଆମେ ସମସ୍ତ କ୍ଷେତ୍ରରେ ଆମର ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧ । ଆମେ ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଛୁ ଏବଂ ହର୍ମୁଜ୍ ପ୍ରଣାଳୀକୁ ଖୋଲା ଏବଂ ସୁରକ୍ଷିତ ରଖିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛୁ।” ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ବିଷୟରେ ଆଲୋଚନା କରିଛନ୍ତି, ଯେଉଁଥିରେ ଅନେକ ପ୍ରମୁଖ ଚୁକ୍ତି ମଧ୍ୟ ସାମିଲ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନ ଏବଂ ସପ୍ତାହ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ଶକ୍ତି ସମେତ କିଛି ପ୍ରମୁଖ ଚୁକ୍ତି ହେବାର ଆଶା କରାଯାଉଛି । ଗୋରଙ୍କ ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ୪୦ ମିନିଟର ଫୋନ୍ ଆଲୋଚନା ସମୟରେ ପଶ୍ଚିମ ଏସିଆର ହରମୁଜ୍ ପ୍ରଣାଳୀ ଅବରୋଧ ପ୍ରସଙ୍ଗ ମଧ୍ୟ ଉଠିଥିଲା ।

Leave a Reply

Your email address will not be published. Required fields are marked *