ସୋସିଆଲ୍ ମିଡ଼ିଆ ଏକ ଡିଜିଟାଲ୍ ନିଶା

ଆଜିକାଲି ସୋସିଆଲ ମିଡ଼ିଆ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଜୀବନରେ ଏକ ବିଶେଷ ଅଂଶ ଗ୍ରହଣ କରିସାରିଛି। ଏକ ସାଧାରଣ ଲୋକଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ଏପରିକି ସରକାରୀ ସ୍ତରରେ ମଧ୍ୟ ସୋସିଆଲ ମିଡ଼ିଆର ବହୁତ ବ୍ୟବହାର ଦେଖିବାକୁ ମିଳୁଛି। ଯୁବବର୍ଗ ପାଇଁ ସୋସିଆଲ ମିଡ଼ିଆ ଏକ ନିଶାରେ ପରିଣତ ହୋଇସାରିଛି। ସକାଳୁ ଉଠିବା ସମୟରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକଙ୍କ ହାତରେ ପ୍ରାୟ ସମୟ ସ୍ମାର୍ଟଫୋନ ରହୁଛି। ଟିକିଏ ସମୟ ପାଇଲେ ଲୋକେ ନିଜକୁ ସୋସିଆଲ ମିଡ଼ିଆର ଦୁନିଆରେ ହଜାଇ ଦେଉଛନ୍ତି।
ସମାଜ ଉପରେ ଏହାର କୁପ୍ରଭାବ –
ଲୋକମାନେ ସର୍ଟ ଭିଡିଓ କରି ଟିକିଏ ଲାଇକ୍ ପାଇବା ପାଇଁ ବିଭିନ୍ନ ବିପଦପୂର୍ଣ୍ଣ କାମ କରୁଛନ୍ତି ଫଳରେ ବାରମ୍ବାର ବିଭିନ୍ନ ପ୍ରକାର ଦୁର୍ଘଟଣା ଏପରିକି ଜୀବନ ହାନି ହେବା ମଧ୍ୟ ଦେଖିବାକୁ ମିଳୁଛି ।
ସୋସିଆଲ ମିଡ଼ିଆର ସବୁଠାରୁ ବଡ଼ ଖରାପ ପ୍ରଭାବ–
ଲୋକମାନେ ଆଜିକାଲି ଟିକେ କ’ଣ ହେଲାମାନେ ଆଗପଛ ନ ଭାବିକି ଲାଇଭ ଆସିକି କିମ୍ବା ଭିଡିଓ ମାଧ୍ୟମରେ ନିଜର ବ୍ୟକ୍ତିଗତ ସମସ୍ୟା, ପାରିବାରିକ କଳହକୁ ଓପେନ ପ୍ଲାଟଫର୍ମ ରେ ସେୟାର କରି ଦେଉଛନ୍ତି। ଲାଭ କ’ଣ ମିଳୁଛି? ସତରେ କ’ଣ ସୋସିଆଲ ମିଡ଼ିଆ ପୋଷ୍ଟ ସେମାନଙ୍କର ସମସ୍ୟାଟିକୁ ସମାଧାନ କରି ଦେଉଛି? ନା ଅଧିକ ଜଟିଳ କରିଦେଉଛି? କ’ଣ ମିଳୁଛି? କ୍ଷଣିକ ମାନସିକ ଶାନ୍ତି। ଲୋକ ତା’ର ମଜା ନେଉଛନ୍ତି ଯିଏ ଯାହା ପାରିଲା ଭଲ ମନ୍ଦ କମେଣ୍ଟ୍ କରୁଛନ୍ତି। ଆଉ କିଛି ପୋର୍ଟାଲ ବାଲା ତ ତାହାକୁ ଶସ୍ତା ଟିଆର୍‌ପି ପାଇଁ ବଜେଇ ଚାଲୁଛନ୍ତି। ଲାଭ କ’ଣ ମିଳୁଛି ସେମାନଙ୍କୁ ସେମାନେ ଜାଣିଥିବେ କିନ୍ତୁ ନିଜର ମାନ, ସମ୍ମାନ ନିଜେ ହରାଉଛନ୍ତି। ସୋସିଆଲ ମିଡ଼ିଆ ବିଶେଷ କରି ପୋର୍ଟାଲ୍‌ଗୁଡ଼ିକ ଉପରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ଯିଏ ଯାହା ପାରିଲା ପୋଷ୍ଟ କରୁଛନ୍ତି। ଅଶ୍ଳୀଳତାର ସୀମା ଟପି ଯାଉଛି। ବିଭିନ୍ନ ସମ୍ବେଦନଶୀଳ କଥାଗୁଡ଼ିକ ମଧ୍ୟ ନିଆଁ ପରି ବ୍ୟାପି ଯାଉଛି ଯାହା ଫଳରେ ସମାଜରେ ଘୃଣାଭାବ ବୃଦ୍ଧି ପାଉଛି। ଛୋଟ ପିଲାମାନେ ମଧ୍ୟ ବାହ୍ୟ ଖେଳ ଛାଡ଼ିକି ନିଜକୁ ସୋସିଆଲ ମିଡିଆର ଦୁନିଆରେ ହଜେଇ ଦେଉଛନ୍ତି। ସୋସିଆଲ ମିଡ଼ିଆ ନିଶା ସମ୍ପର୍କଗୁଡ଼ିକ ଉପରେ ମଧ୍ୟ ପଡ଼ୁଛି। ପ୍ରାୟ ଲୋକ ଘରେ ଥିଲାବେଳେ ହଉ କିମ୍ବା କୌଣସି ବନ୍ଧୁଙ୍କ ଘରକୁ, ଉତ୍ସବକୁ ଯାଇଥିଲେ ମଧ୍ୟ ନିଜକୁ ସୋସିଆଲ ମିଡିଆରେ ବ୍ୟସ୍ତ ରଖୁଛନ୍ତି।
ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ –
ଅଧିକ ସମୟ ଧରି ସୋସିଆଲ ମିଡ଼ିଆ ନିଶାରେ ସ୍ମାର୍ଟଫୋନ ବ୍ୟବହାର ଯୋଗୁଁ ତା’ର କୁ ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ୁଛି। ବିଭିନ୍ନ ଚକ୍ଷୁ ସମସ୍ୟା, ମେଦ ବହୁଳତା, ନିଦ୍ରାହୀନତା ଏବଂ ଅବସାଦ ଭଳି ସମସ୍ୟାଗୁଡିକ ଦ୍ରୁତଗତିରେ ବୃଦ୍ଧି ପାଇବାକୁ ଲାଗିଛି।
ଅଙ୍କୁଶ ଆବଶ୍ୟକ –
ନିଶା ଦ୍ରବ୍ୟ ଭଳି ସୋସିଆଲ ମିଡ଼ିଆକୁ ନିଶା ଭଳି ଅଧିକ ବ୍ୟବହାର ଦ୍ୱାରା ତାହାର କୁପ୍ରଭାବ ସ୍ୱାସ୍ଥ୍ୟ, ପାରିବାରିକ ଜୀବନ ଉପରେ ପଡୁଥିବାରୁ ଯଥା ସମ୍ଭବ ତା’ର ବ୍ୟବହାର କମ କରନ୍ତୁ। ସୋସିଆଲ ମିଡ଼ିଆର ବ୍ୟବହାର ଯେ ସମ୍ପୂର୍ଣ୍ଣ ଖରାପ ତା’ ନୁହେଁ, ବ୍ୟବହାର କରନ୍ତୁ ହେଲେ ସୀମିତ ମାତ୍ରାରେ ଯେମିତି ତାହାର ନିଶାର ପ୍ରଭାବ ଦ୍ୱାରା ଆପଣଙ୍କ ର ଶରୀର କିମ୍ବା ପାରିବାରିକ, ସାମାଜିକ ଜୀବନ କ୍ଷତିଗ୍ରସ୍ତ ନ ହଉ।
ରଣଜିତ୍ ପଟ୍ଟନାୟକ
ମୁଖ୍ୟ ପ୍ରତିନିଧି, ଭୁବନେଶ୍ୱର,
ମୋ: ୯୪୩୯୫ ୦୫୨୧୫

Leave a Reply

Your email address will not be published. Required fields are marked *