‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି। ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜର ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି, ମାରକ କ୍ଷମତା ଓ କାର୍ଯ୍ୟଦକ୍ଷତାକୁ ଅନୁଧ୍ୟାନ କରାଯିବାବେଳେ ଏହା ସଫଳତାର ସହ କାର୍ଯ୍ୟ କରିଥିଲା। ‘ଅସ୍ତ୍ର’ (ବିଭିଆର୍‌ଏଏଏମ୍‌) ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟଭେଦ କରିବାକୁ ସକ୍ଷମ lଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଓ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି। ଏହାକୁ ନିର୍ମାଣ କରିବା ଲାଗି ଡିଆର୍‌ଡିଓର ବିଭିନ୍ନ ପ୍ରୟୋଗଶାଳା ସମେତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ଏବଂ ୫୦ରୁ ଅଧିକ ସରକାରୀ ଓ ଘରୋଇ ଶିଳ୍ପସଂସ୍ଥାର ସହାୟତା ନିଆଯାଇଛି। ‘ଅସ୍ତ୍ର’ର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତର ସାମରିକ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *