ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । କୁଳସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏକାଧିକ କଡ଼ା ନିୟମ ଲାଗୁ କରାଯାଇଛି । ଫେବୃଆରୀ ୧୮, ୨୦୨୬ ରେ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀର କ୍ୟାମ୍ପସ ର ସୁରକ୍ଷା ଓ ଶୈଖିକ ବାତାବରଣକୁ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏବେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବୈଧ ପରିଚୟ ପତ୍ର (ID Card) ସାଥୀରେ ରଖିବା ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା କର୍ମୀମାନଙ୍କୁ ଯେକୌଣସି ସମୟରେ ଯାଞ୍ଚ କରିବା ପାଇଁ ଅଧିକାର ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ପରିଚୟ ପତ୍ର ଦେଖାଇବାରେ ବିଫଳ ହୁଅନ୍ତି କିମ୍ବା କ୍ୟାମ୍ପସରେ ରହିବାର ସଠିକ୍ କାରଣ ଦର୍ଶାଇ ନପାରନ୍ତି । ତାଙ୍କୁ ଜଣେ ‘ଅନଧିକୃତ ବ୍ୟକ୍ତି’ ଭାବେ ଗଣନା କରାଯିବ ଏବଂ ପୋଲିସ ଜିମା ଦିଆଯିବ। ବିଶ୍ୱବିଦ୍ୟାଳୟକୁ ଏକ ‘ଶୂନ୍ୟ ସହନଶୀଳତା କ୍ଷେତ୍ର’ ଭାବେ ଘୋଷଣା କରାଯାଇଛି । ମଦ ତଥା ସମସ୍ତ ପ୍ରକାରର ନିଶାଦ୍ରବ୍ୟ, ତମାଖୁ ଜାତୀୟ ଦ୍ରବ୍ୟ ତଥା ଇ-ସିଗାରେଟ୍ ଏବଂ ଭେପ୍ସ ପ୍ରମୁଖ ଦ୍ରବ୍ୟଗୁଡ଼ିକର ବ୍ୟବହାର ଓ ମହଜୁଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହା ବ୍ୟତୀତ, ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ ବ୍ୟାଘାତ ସୃଷ୍ଟି କରୁଥିବା କାର୍ଯ୍ୟକଳାପକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି, ଯଥା ଅନାବଶ୍ୟକ ଭାବେ ବୁଲାବୁଲି କରିବା, ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଅଶାନ୍ତିକର ପରିବେଶ ସୃଷ୍ଟି କରିବା ଇତ୍ୟାଦି। ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *