ଜଗତସିଂହପୁର ଶିଶୁ ଆଶ୍ରମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ସ୍ଥିତ ଶିଶୁ ଆଶ୍ରମର ଆଫ୍ଟର କେୟାର କୋଠରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେଠାରେ ସେ ଗତ ୮ ମାସ ହେବ ରହୁଥିଲେ । ଶିଶୁ ଆଶ୍ରମ କର୍ତ୍ତୃପକ୍ଷ କହିଛନ୍ତି ଯେ, ନାବାଳିକା ଜଣକ ଚିନ୍ତାଗ୍ରାସ୍ତ ହୋଇ ଜୀବନ ହାରିଛନ୍ତି । ନାବାଳିକା କାହିଁକି ଚିନ୍ତାଗ୍ରାସ୍ତ ଥିଲେ ଆଶ୍ରମ କର୍ତ୍ତୃପକ୍ଷ ତାହାର କାରଣ ମଧ୍ୟ କହିଛନ୍ତି । ତଥାପି, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ଜଗତସିଂହପୁର ଥାନାରେ ଅପମୃତ୍ୟୁ ମାମଲା (୪୦/୨୬) ରୁଜୁ ହୋଇଥିବା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଶିଶୁ ଆଶ୍ରମର ସଭାପତି ବିନାୟକ ପଟ୍ଟନାୟକଙ୍କ କହିବା ଅନୁସାରେ, ନାବାଳିକାଙ୍କ ମାଆଙ୍କ ଘର ନାଉଗାଁ ଥାନା ଅଞ୍ଚଳ ଓ ବାପା ପୁରୀ ଅଞ୍ଚଳର । କିନ୍ତୁ କୌଣସି କାରଣରୁ ମାଆ, ବାପାଙ୍କ ଭିତରେ ବିଚ୍ଛେଦ ପରେ ମାଆ ନାବାଳିକାଙ୍କୁ ଧରି ବାପଘରେ ରହୁଥିଲେ । ପରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଅନ୍ୟ ଜଣ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରି ସେଠାରେ ରହିଥିଲେ । ନାବାଳିକା ତାଙ୍କ ମାମୁ ଘରେ ରହୁଥିଲେ । ନାବାଳିକାଙ୍କ ମାଆ ଦ୍ବିତୀୟ ବିବାହ କରିବା ପୂର୍ବରୁ ତାଙ୍କର ଏକ କନ୍ୟା ସନ୍ତାନ ଅଛି ବୋଲି ତାଙ୍କ ଦ୍ବିତୀୟ ସ୍ବାମୀଙ୍କୁ କହିନଥିଲେ । ପରେ ଯେତେବେଳେ ଏକଥା ଜଣାପଡ଼ିଥିଲା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ପରେ ନାବାଳିକାଙ୍କୁ ତାଙ୍କ ମାଆ ନେଇ ନିଜ ପାଖରେ ରଖିଥିଲେ । ପରେ ମହିଳାଙ୍କର ଆଉ ୨ଟି ସନ୍ତାନ ଜନ୍ମ ହୋଇଥିଲେ । ଯେଉଁ କାରଣରୁ ନାବାଳିକାଙ୍କୁ ସ୍ନେହ, ଶ୍ରଦ୍ଧା ମିଳି ନଥିଲା । ଏପରିକି ସେ ବିଭିନ୍ନ ଆଡ଼େ ବୁଲୁଥିଲେ । ସେ ନିକଟସ୍ଥ ଏକ ଗ୍ରାମରେ ବୁଲୁଥିବାବେଳେ ଶିଶୁ କଲ୍ୟାଣ କମିଟି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଶିଶୁ ଆଶ୍ରମରେ ଛାଡିଥିଲେ। ମାଆଙ୍କ ପାଖରେ ଥିବାବେଳେ ସେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାରୁ ଚଳିତବର୍ଷ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମଲେଖା ଯାଇଥିଲା । ନାବାଳିକାଙ୍କ ବୟସ ୧୨ ବର୍ଷ । ଶିଶୁ ଆଶ୍ରମରେ ସେ ଅନ୍ୟ ପିଲାମାନଙ୍କ ସହ ରହୁଥିଲା । ପିଲାଟି ପ୍ରାୟତଃ ଚାପଗ୍ରସ୍ତ ରହୁଥିଲା ।

Leave a Reply

Your email address will not be published. Required fields are marked *